fbpx

(Video) ଭାରତରେ ପ୍ରଥମ…ହୁଗଳୀ ପାଣିକୁ ଚିରି ଗଡିଲା ଦେଶର ପ୍ରଥମ ୱାଟର ଟ୍ରେନ

ନୂଆଦିଲ୍ଲୀ: ଆଜି ଏକ ନୂଆ ଇତିହାସ ରଚିଛି କୋଲକାତା ମେଟ୍ରୋ । ଦୀର୍ଘ ବ୍ୟବଧାନର ଅପେକ୍ଷା ପରେ ଭାରତର ପ୍ରଥମ ଅଣ୍ଡର ୱାଟର ଟ୍ରେନ ମେଟ୍ରୋକୁ ମିଳିଛି ଗ୍ରୀନ ସିଗନାଲ । ତେବେ ଭାରତରେ ପ୍ରଥମ କରି ଏହି ମେଟ୍ରୋ ହୁଗଳୀ ନଦୀର ପାଣି ଭିତରେ ନିଜର ଯାତ୍ରା ପୂରଣ କରିଛି । ତେବେ ମାତ୍ର ୧୧.୫୫ ମିନିଟରେ ହୁଗଳୀ ନଦୀକୁ ଅତିକ୍ରମ କରିଛି । ଏହି ଅବସରରେ ମେଟ୍ରୋ ରେଳର ମହାପ୍ରବନ୍ଧକ ପି. ଉଦୟ କୁମାର ରେଡ୍ଡୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ମେଟ୍ରୋ କ୍ଷେତ୍ରରେ ଏହା ଭାରତ ପାଇଁ ଏକ ବଡ ସଫଳତା ପାଲଟିଛି ।

ସୂଚନା ଅନୁସାରେ, ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ଟ୍ରେନ ହୁଗଳୀ ନଦୀ ପାଣିକୁ ଚିରି ହାୱଡାରେ ପହଞ୍ଚିଛି । ତେବେ ହାୱଡା ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଅଧିକାରୀମାନେ ଏହାକୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ରାଙ୍କ ନମ୍ବର ଏମଆର-୬୧୩କୁ ମଧ୍ୟ ହାୱଡା ମଇଦାନକୁ ନିଆଯାଇଥିଲା । ତେବେ ମେଟ୍ରୋର ମହାପ୍ରବନ୍ଧକ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ହାୱଡା ମଇଦାନରୁ ଏସପ୍ଲାନେଡ ପର୍ଯ୍ୟନ୍ତ ଟ୍ରାଏଲ ରନ୍ ଆଗାମୀ ୭ ମାସ ପର୍ଯ୍ୟନ୍ତ ଜାରି ରହିବ । କିନ୍ତୁ ଏହାପରେ ଏଠାରେ ଲଗାତାର ମେଟ୍ରୋ ସେବା ଯୋଗାଇ ଦିଆଯିବ । ତେବେ ଖୁବଶୀଘ୍ର ହାୱଡା ମଇଦାନରୁ ଏସପ୍ଲାନେଡ ପର୍ଯ୍ୟନ୍ତ ୪.୮ କିଲୋମିଟର ଅଣ୍ଡରଗ୍ରାଉଣ୍ଡ ସେକ୍ସନରେ ଟ୍ରାଏଲ ରନ୍ ଆରମ୍ଭ କରି ଦିଆଯିବ । ତେବେ ଚଳିତବର୍ଷ ଏହି ସେକ୍ସନରେ ମେଟ୍ରୋ ସେବା ଉପଲବ୍ଧ ହୋଇପାରେ ।

ହାୱଡାରେ ଏହି ସେକ୍ସନ ଆରମ୍ଭ ହେବା ପରେ ଏହା ଦେଶର ସବୁଠୁ ଗଭୀର ମେଟ୍ରୋ ଷ୍ଟେସନ ହେବ । ହୁଗଳୀ ନଦୀ ଗଭୀରତାର ୫୨୦ ମିଟର ଲମ୍ବ ଏହି ରାସ୍ତାକୁ ମାତ୍ର ୪୫ ସେକେଣ୍ଡ ମଧ୍ୟରେ ଅତିକ୍ରମ କରିପାରିବ । ଏହାବ୍ୟତୀତ ନଦୀର ୩୨ ମିଟର ଭିତରେ ଏକ ସୁଡଙ୍ଗ ମଧ୍ୟ ପ୍ରସ୍ତୁତ କରାଯାଇଛି । ସୁଡଙ୍ଗ ଭିତରେ ମେଟ୍ରୋ ସେବା ଯୋଗାଇ ଦିଆଯିବା ପାଇଁ ବିଭିନ୍ନ ଉପାୟ ଆପଣାଇଛି କୋଲକାତା ମେଟ୍ରୋ ।

Get real time updates directly on you device, subscribe now.