fbpx

ହକି ହିରୋଙ୍କୁ ଭବ୍ୟ, ବର୍ଣ୍ଣାଢ୍ୟ ଭାବରେ ପାଛୋଟି ଆଣିଲା ଓଡିଶା, ସନ୍ଧ୍ୟାରେ ସମ୍ବର୍ଦ୍ଧନା ଉତ୍ସବ, ହକିରେ ଝୁମୁଛି, ହକିରେ ବାସୁଛି ଓଡିଶା..

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଛି । ହକି କଥା ଉଠିଲେ ଓଡିଶା ବା କେମିତି ପଛରେ ରହିବ । ଯେଉଁ ଓଡିଶା ହକିକୁ ଏତେ ଆଗକୁ ନେଇ ସେହି ଓଡିଶା ଆଜି ଦିନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିବା ଭାରତୀୟ ଦଳକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଛି । ଏହି ସମୟରେ ପାରମ୍ପରିକ ଓଡିଆ ବାଦ୍ୟଯନ୍ତ୍ର ଓ ସଙ୍ଗୀତରେ ସାରା ଓଡିଶା ଦେଖିଛି ଅଲିମ୍ପିକ୍ସ ହିରୋଙ୍କ ପରାକାଷ୍ଠାର ପ୍ରତିଫଳନ ।
ଏହି ସମୟରେ ହଜାର ହଜାର ପ୍ରଶଂସକ, ହକି ଇଣ୍ଡିଆର କର୍ମକର୍ତ୍ତା ତଥା କ୍ରୀଡା ବିଭାଗର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ସେମାନଙ୍କୁ ପାଛୋଟି ନେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଶଂସକ ଓ ଅନ୍ୟମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । କିଏ ହାତରେ ତ୍ରିରଙ୍ଗା ଧରିଥିଲା ତ ପୁଣି କିଏ ଘଣ୍ଟ, ଶଙ୍ଖ ଓ ହୁଲହୁଲିରେ ଏହି ବିଶ୍ୱ ବିଜେତା ଦଳକୁ ସ୍ୱାଗତ କରିଥିଲା ।

ଓଡିଶା ତାରକା ଅମିତ ରୋହିଦାସ ଦଳରେ ଯୋଗ ଦେବା ପରେ ସେମାନଙ୍କୁ ବିମାନ ବନ୍ଦରରୁ ରୋଡ ଶୋ’ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଉଛି । ବିଜୟଗୌରବ ଯାତ୍ରାରେ ସାରା ବିଜୟୀ ଦଳ ଦମ୍ଭର କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ବାହାରିଛି । ସାରା ଓଡିଶା ଦେଖୁଛି ବିଜୟୀ ଭାରତୀୟ ହକି ଦଳର ସାହସ, ନିର୍ଭୀକତା ଓ ପରିଶ୍ରମର ଫଳ । ଓଡିଶାର ପୁରପଲ୍ଲୀରେ ଏବେ କେବଳ ଗୋଟିଏ ହିଁ ବାସ୍ନା – ହକି ହକି ଓ ହକି ।

କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ପରେ ଭାରତୀୟ ହକି ଦଲର ଖେଳାଳି ଓ ଷ୍ଟାଫଙ୍କୁ ସତ୍କାର କରାଯିବା ପରେ ସିଧାସଳଖ ସମସ୍ତ ଖେଳାଳି ଦଳୀୟ ହୋଟେଲକୁ ଯିବେ ବିଶ୍ରାମ ପାଇଁ । ପରେ ସନ୍ଧ୍ୟା ୫ ଟା ୩୦ ସମୟରେ ଲୋକସେବା ଭବନରେ ଆୟୋଜିତ ହେବେ ହକି ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳର ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋଟିଂ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ସମ୍ବର୍ନ୍ଧିତ କରିବେ । ଓଡିଆ ତାରକା ଅମିତେ ରୋହିଦାସଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ୪ କୋଟିର ପୁରସ୍କାର ପ୍ରଦାନ କରିବେ । ଏହାବାଦ ଓଡିଆ ଜାଭଲିନ ଷ୍ଟାର କିଶୋର ଜେନାଙ୍କୁ ମଧ୍ୟ ଏହି ସମୟରେ ସମ୍ବର୍ଦ୍ଧିତ କରାଯିବ ।

କହିରଖୁ, ଭାରତୀୟ ହକି ଦଳର ପୁନରୁଦ୍ଧାରରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ହାତ ରହିଛି । ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ଓଡିଶା ଦୁଇ ଦୁଇଟି ହକି ବିଶ୍ୱକପ ଆୟୋଜନ କରିବା ସହ ଅଲିମ୍ପିକ୍ସ ସଫଳତା ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ ଭାରତୀୟ ଦଳ ସହ ଜଡିତ ହୋଇ ରହିଛି । ଭାରତୀୟ ହକି ଦଳର ପ୍ରୟୋଜକ ଭାବରେ ମଧ୍ୟ ଓଡିଶା ୨୦୩୬ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଫଳରେ ସମସ୍ତ ଖେଳାଳି ଓଡିଶାକୁ କୃତଜ୍ଞତା ମଧ୍ୟ ଜଣାଇବେ ଆଜିର ସମ୍ବର୍ନ୍ଧନା ଉତ୍ସବରେ ।

Get real time updates directly on you device, subscribe now.