fbpx

ଧିରେ ଧିରେ ମଉଳିଯାଉଛି ‘ବିକ୍ରମ-ପ୍ରଜ୍ଞାନ’ର ଉଠିବା ଆଶା: ଅଧା ରହିବ କି ‘ମୁନ୍ ମିଶନ୍’?

ନୂଆଦିଲ୍ଲୀ: ଚନ୍ଦ୍ରଦିବସ ଶେଷ ହୋଇ ସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଉଠିନାହିଁ ଭାରତର ଚନ୍ଦ୍ରଯାନର ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । ଶତଚେଷ୍ଟା ପରେ ବିକ୍ରମ ପାଖରୁ କୌଣସି ପ୍ରତିକ୍ରିୟା ପାଇବାରେ ସମର୍ଥ ହୋଇନି ଇସ୍ରୋ । ଫଳରେ ଲାଣ୍ଡର ବିକ୍ରମ ଉଠିବା ନେଇ ଭାରତର ଆଶା-ଭରସା ଧିରେ ଧିରେ କ୍ଷୀଣ ହେବାକୁ ଲାଗିଲାଣି । ମଉଳିବାରେ ଲାଗିଛି ‘ମୁନ୍ ମିଶନ୍’ର ଜୀବିତ ହେବାର ସ୍ୱପ୍ନ । ତେବେ ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି ଭାରତର ମୁନ୍ ମିଶନ୍ କ’ଣ ଅଧାରେ ରହିବ ନା ଆଗକୁ କିଛି ନୂଆ ଦିଗ ଦେବେ ବିକ୍ରମ ଏବଂ ପ୍ରଜ୍ଞାନ?

ଚନ୍ଦ୍ରଯାନ-୩ ମିଶନର ଲାଣ୍ଡର ଏବଂ ରୋଭରଙ୍କୁ ଗୋଟିଏ ଚନ୍ଦ୍ରଦିବସ ବା ୧୪ ଦିନ ପାଇଁ କାର୍ଯ୍ୟକ୍ଷମ ହେବା ଭଳି ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ସମୟ ଚନ୍ଦ୍ରଯାନ-୩ ପାଇଁ ବହୁ ଦିନରୁ ଶେଷ ହୋଇ ସାରିଛି । କାରଣ ମିଶନ୍ ର ଇଲେକ୍ଟ୍ରୋନିକ୍ସଗୁଡ଼ିକୁ ରାତି ସମୟରେ ଚନ୍ଦ୍ରପୃଷ୍ଠର ପରିସ୍ଥିତିକୁ ସାମନା କରିବା ଉଦ୍ଦେଶ୍ୟରେ ଡିଜାଇନ କରାଯାଇ ନାହିଁ । ଚନ୍ଦ୍ରରେ ରାତି ହେବା ସମୟରେ ସେଠାକାର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସରୁ କମ୍ ହୋଇଯାଏ ଏବଂ ସୌର-ସଞ୍ଚାଳିତ ମଡ୍ୟୁଲର କାମ କରିବା ପାଇଁ ସୂର୍ଯ୍ୟକିରଣ ମଧ୍ୟ ମିଳିନଥାଏ । ଋଷର ଲୁନା-୨୫ ଭଳି ଚନ୍ଦ୍ରଯାନ-୩ରେ ପରମାଣୁ ବ୍ୟାଟେରୀ ସୁବିଧା ନତିଲେ ମଧ୍ୟ ଏହା ପୁଣିଥରେ କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି ଇସ୍ରୋ ଆଶା ରଖିଛି ।

ମିଶନ୍ ସଫଳତା ହେବା ପରେ ଅନ୍ତରୀକ୍ଷ ଏଜେନ୍ସି ବିକ୍ରମ-ପ୍ରଜ୍ଞାନଙ୍କର ଜୀବନକାଳକୁ ବଢାଇବା ପାଇଁ ଯୋଜନା କରିଥିଲେ । ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ସମସ୍ତ ଉପକରଣ ବନ୍ଦ କରିଦେବା ସହିତ ଏହାକୁ ସ୍ଲିପ ମୋଡରେ ପଠାଇ ଦେଇଥିଲା ଏଜେନ୍ସି । ଯଦି ବ୍ୟାଟେରୀଗୁଡ଼ିକ ସମ୍ପୂର୍ଣ୍ଣ ଚାର୍ଜ ହୋଇଥାନ୍ତା, ସେମାନେ ଚନ୍ଦ୍ର ରାତିରେ ବଞ୍ଚିବା ପାଇଁ ଉପକରଣଗୁଡ଼ିକୁ ଯଥେଷ୍ଟ ଗରମ ରଖିବାରେ ସକ୍ଷମ ହେବାର ସାମାନ୍ୟ ସୁଯୋଗ ରହିଥିଲା । ତେବେ ଆଗକୁ ଚନ୍ଦ୍ରଯାନ-୩ ପୁଣିଥରେ ଉଠି କାର୍ଯ୍ୟକ୍ଷମ ହେବ ନା ଭାରତର ମୁନ୍ ମିଶନ୍ ଏହିଠାରେ ଶେଷ ହେବ, ସେ ନେଇ ଏକ ବଡ଼ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି ।

Get real time updates directly on you device, subscribe now.