fbpx

ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା

ଓଡ଼ିଶା ଭାସ୍କର: ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ଏହି ବୈଠକ ପରେ ବିଜେଡିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ମିଟିଂ ହୋଇଥିଲା। ଏଥିରେ ନିର୍ବାଚନୀ ରଣକୌଶଳ ଉପରେ ଆଲୋଚନା ହୋଇଥିଲା। ଏନେଇ ସୁପ୍ରିମୋଙ୍କୁ ଦଳର ରିପୋର୍ଟ ଦିଆଯାଇଛି। ତେବେ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ବୋଲି ଉପସଭାପତି ଦେବୀ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। କିନ୍ତୁ ବିଜେଡି-ବିଜେପି ମେଣ୍ଟ ହେବା ପ୍ରସଙ୍ଗରେ ସେ ସେ କିଛି କହିନାହାନ୍ତି।

ସୂଚନା ଥାଉକି, ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ଏବେ ବି ଉଭୟ ଦଳର ନେତା, କର୍ମୀ ଓ ଜନତା ଦ୍ୱନ୍ଦ୍ୱରେ ରହିଛନ୍ତି । ହେଲେ ଏହା ମଧ୍ୟରେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପାଇଁ ଆଜି ଜଣଙ୍କ ପରେ ଜଣେ ବିଜେଡି ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଥିଲେ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ୟ ସାମିଲ ହୋଇଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଅରୁଣ ସାହୁ, ଦେବୀ ମିଶ୍ର, ଟୁକୁନି ସାହୁ, ପ୍ରତାପ ଜେନା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ମୁଦୁଲି, ପ୍ରିତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ରଙ୍କ ଭଳି ବହୁ ହେବିୱେଟ ନେତା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ଥିଲେ। ତେବେ ବିଜେଡିର ଏହି ବୈଠକରେ ମେଣ୍ଟ ଉପରେ କିଛି ଆଲୋଚନା ହୋଇପାରେ ବୋଲି ଯେଉଁ ଆଶା କରାଯାଉଥିଲା, ସେନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମେଣ୍ଟ ହେବା ପ୍ରଶ୍ନରେ କୌଣସି ନେତା କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି।

Get real time updates directly on you device, subscribe now.