fbpx

ବିଶ୍ୱକପରେ ଖେଳାଯିବନି ଭାରତ-ପାକିସ୍ତାନ ମହା ମୁକାବିଲା! ଅକ୍ଟୋବର ୧୫ ବଦଳରେ ମିଳିପାରେ ନୂଆ ତାରିଖ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । ଏଥିପାଇଁ ପ୍ରତ୍ୟେକ ଦଳ ଟ୍ରଫି ହାସଲ କରିବା ପାଇଁ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏହାସହିତ କ୍ରିକେଟପ୍ରେମୀମାନେ ମଧ୍ୟ ଏହାର ମଜା ନେବା ପାଇଁ ଟିକେଟ ବୁକିଙ୍ଗ କରିବା ଆରମ୍ଭ କରି ସାରିଛନ୍ତି । ତେବେ ବିଶ୍ୱକପରେ ସବୁଠାରୁ ବଡ଼ ମୁକାବିଲା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏକ ବଡ଼ ଖବକର ସାମନାକୁ ଆସିଛି । ବିଶ୍ୱକପ ସୂଚୀ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ଏହି ହାଇ ଭୋଲ୍ଟେଜ ମ୍ୟାଚ ହେବାର ସୂଚୀ ରହିଥିଲା । କିନ୍ତୁ ଏବେ ଏହିଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମହା ମୁକାବିଲା ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଖେଳପ୍ରେମୀମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ।

ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖରେ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତେ ଭାରତ ଏବଂ ପାକିସ୍ତାନ । ଗୁଜୁରାଟରେ ନବରାତ୍ରୀ କାର୍ଯ୍ୟକ୍ରମକୁ ଖୁବ ଧୁମଧାମରେ ପାଳନ କରାଯାଏ, ଯେଉଁଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମା ହୋଇଥାଏ । ତେବେ ଭାରତ-ପାକିସ୍ତାନ ମ୍ୟାଚ ଏହାର ପୂର୍ବ ଦିନ ଖେଳାଯିବାର ସୂଚୀ ରହିଛି । ତେଣୁ ବିସିସିଆଇକୁ ଏହି ମ୍ୟାଚର ତାରିଖ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ସୁରକ୍ଷା ଏଜେନ୍ସି । ତେବେ ଏହାର ଉତ୍ତରରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଏହି ମ୍ୟାଚର ବିକଳ୍ପ ଉପରେ ବିଚାର କରୁଛୁ । ଖୁବଶୀଘ୍ର ଏ ସମ୍ପର୍କରେ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସୁରକ୍ଷା ଏଜେନ୍ସି କହିଛି ଯେ, ଗୁଜୁରାଟ ପୋଲିସ ପୂର୍ବରୁ ନବରାତ୍ରୀର ସୁରକ୍ଷା ବ୍ୟବସ୍ଥାରେ ବ୍ୟସ୍ତ ରହିଥିବ । ଏହା ମଧ୍ୟରେ ଭାରତ-ପାକିସ୍ତାନ ଭଳି ଏକ ହାଇପ୍ରୋଫାଇଲ ମ୍ୟାଚ ପାଇଁ ହଜାର ହଜାର କ୍ରିକେଟପ୍ରେମୀ ଅହମ୍ମଦାବାଦରେ ପହଞ୍ଚିବେ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା କରିବା ଆବଶ୍ୟକ ବୋଲି କୁହାଯାଇଛି ।

ତେବେ ଦେଶର ମୋଟ ୧୦ଟି ଷ୍ଟାଡିୟମରେ ହେବାକୁ ଯାଉଛି ବିଶ୍ୱକପର ସମସ୍ତ ମ୍ୟାଚ । ତେଣୁ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ସମସ୍ତ ରାଜ୍ୟ କ୍ରିକେଟ ସଂଘଙ୍କୁ ବୈଠକ ପାଇଁ ଡକାଇଛନ୍ତି । ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଏହି ମିଟିଙ୍ଗରେ ଭାରତ-ପାକିସ୍ତାନ ମହା ମୁକାବିଲା ଉପରେ ବିଶେଷ ନିଷ୍ପତ୍ତି ନିଆ ଯାଇପାରେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ମ୍ୟାଚ ପାଇଁ ନୂଆ ତାରିଖ ଘୋଷଣା କରାଯାଇପାରେ ।

Get real time updates directly on you device, subscribe now.