fbpx

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୂର୍ବତନ ଉପ-ବାଚସ୍ପତିଙ୍କ ଶେଷକୃତ୍ୟ

ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ପରଲୋକ ହୋଇଛି । ଶୁକ୍ରବାର ତାଙ୍କ ମରଶରୀରକୁ ଜନ୍ମ ମାଟି ପାଙ୍ଗାମକୁ ଅଣାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରହଲ୍ଲାଦ ଦୋରା ମାଲକାନଗିରିର ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ ୨୦ ତାରିଖରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପୂର୍ବତନ ଉପବାଚସ୍ପତି ।

ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପଞ୍ଚଭୁତରେ ବିଲୀନ ହେଲେ ପୂର୍ବତନ ଉପ ବାଚସ୍ପତି  । ଶୁକ୍ରାବର ପାଙ୍ଗମରେ ଥିବା ପ୍ରହଲ୍ଲାଦ ଦୋରାଙ୍କ ବାସଭବନରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପହଞ୍ଚି ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସ୍ୱର୍ଗତ ପ୍ରହଲ୍ଲାଦ ଦୋରା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ଦୁଇଥର ଉପବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । କିଛି ଦିନ ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ମାଥିଲି ବ୍ଳକର ବିଭିନ୍ନ ଅଞ୍ଚଳରେ ଦୋକାନବଜାର ବନ୍ଦ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୋକ ସଭା ମଧ୍ୟ ପାଳନ କରାଯାଇଛି । ପ୍ରହଲ୍ଲାଦ ଦୋରାଙ୍କ ପାଙ୍ଗାମ ସ୍ଥିତ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ଲୋକାରଣ୍ୟ ହୋଇପଡ଼ିଥିଲା । ଏକ ଶୋଭାଯାତ୍ରାରେ ପ୍ରହଲ୍ଲାଦଙ୍କ ପାର୍ଥିବ ଶରୀରକୁ ପାଙ୍ଗାମ ଶ୍ମଶାନ ନିଆଯାଇଥିଲା । ପ୍ରଶାସନ ପକ୍ଷରୁ ପ୍ରହଲ୍ଲାଦଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି । ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ,ବିଧାୟକ ଆଦିତ୍ୟ ମାଢୀ, ଜିଲାପାଳ ବିଶାଳ ସିଂ, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ଉପସ୍ଥିତ ରହି ପ୍ରହଲ୍ଲାଦ ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କୋରୋନା ସଂକ୍ରମଣରେ ପ୍ରହଲ୍ଲାଦ ଦୋରାଙ୍କ ମୃତ୍ୟୁ ହୋଇଥିବାରୁ ପିପିଇ କିଟ ପିନ୍ଧି ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରହଲ୍ଲାଦ ଦୋରାଙ୍କ ବଳିଷ୍ଠ ଉଦ୍ୟମ ଯାଗୁଁ ଆଜି ମାଲକାନଗିରି ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ପରିଗଣିତ ହୋଇଛି । ପ୍ରହଲ୍ଲାଦ ଦୋରାଙ୍କ ପ୍ରଚେଷ୍ଟାରେ ଗୋବିନ୍ଦପଲ୍ଲୀରେ ବିଜୁ ପଟ୍ଟନାୟକ କଲେଜ ନିର୍ମାଣ ହୋଇଥିଲା । ଯାହାଫଳରେ ସାଧାରଣ ଲୋକଙ୍କ ମନରେ ସେତେବେଳେ ଭରସା ଯୋଗାଇଥିଲା ।

Get real time updates directly on you device, subscribe now.