fbpx
BJD SKY
BJD SKY

ଆସନ୍ତାକାଲି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

BJD

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅକ୍ଟୋବର ୩୧ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଏଥିପାଇଁ ଆଜି ପୁରୀଅଭିମୁଖେ ବାହାରିବେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରବିବାର ଦିନ ପୁରୁଷୋତ୍ତମ ଏକ୍ସପ୍ରେସରେ ପୁରୀ ଯିବେ ରଘୁବର । ଶ୍ରୀ ଦାସ ପୁରୀ ଷ୍ଟେସନରେ ଓହ୍ଲାଇ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ମଙ୍ଗଳବାର ଦିନ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ ।

ତେବେ ଶନିବାର ଦିନ ରଘୁବର ଦାସ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଦଳର ପ୍ରାଥମିକ ସକ୍ରିୟ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁସାରେ, ଶ୍ରୀ ଦାସ ୧୯୫୫ ମସିହାରେ ମେ’ ୩ ତାରିଖରେ ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ଜାମସେଦପୁର କୋଅପରେଟିଭ୍ କଲେଜରୁ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରି ଟାଟା ଷ୍ଟିଲ୍ କମ୍ପାନୀରେ ଯୋଗ ଦେଇଥିଲେ। ୧୯୭୭ରେ ଜନତା ପାର୍ଟିରେ ଯୋଗଦାନ ଏବଂ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ। ରଘୁବର ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ। ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ଯ୍ୟ କରିଛନ୍ତି। ଜାମସେଦପୁର (ପୂର୍ବ) ବିଧାନସଭା ଆସନରୁ ସେ ବିହାର ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ।

୨୦୦୫ରେ ଅର୍ଜୁୁନ ମୁଣ୍ଡାଙ୍କ ନେତୃତ୍ବାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ଦାୟିତ୍ବ ତୁଲାଇଥିଲେ। ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା। ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ। ସୂଚନାଯୋଗ୍ୟ, ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଗତ ମେ’ ୨୯ ତାରିଖରେ ଶେଷ ହୋଇଥିଲା। ଏହାପରେ ନୂତନ ରାଜ୍ୟପାଳଙ୍କ ନାମ ଘୋଷଣା ହୋଇନଥିବାରୁ ସେ ଦାୟିତ୍ବରେ ଥିଲେ।

Get real time updates directly on you device, subscribe now.