fbpx

୨୦୨୩ ବର୍ଷ ଭାରତୀୟ ରେଳବାଇ ପାଇଁ ଶୁଭ ନୁହେଁ? କାହିଁକି ଘଟୁଛି ଏଭଳି ବାରମ୍ବାର ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପାଖାପାଖି ୩ ଶହ ଲୋକଙ୍କର ଜୀବନ ଯାଇଥିବା ବେଳେ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେହି ଦୁର୍ଘଟଣା ସାରା ବିଶ୍ୱବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା । ଆଜି ବି ସେହି କ୍ଷତି ଶୁଖିନାହିଁ । ଅନେକ ମୃତକଙ୍କ ମୃତଦେହ ଚିହ୍ନଟ ହୋଇନପାରି କିଛିଦିନ ତଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଥିଲା ।

ଏହା ମଧ୍ୟରେ ଆଜିର ବଡ଼ ଟ୍ରେନ ଦୁର୍ଘଟଣା ପୁଣି ଥରେ ସେହି ଅତୀତର କାଳରାତ୍ରୀକୁ ମନେପକାଇ ଦେଇଛି । ପୁଣି ମନକୁ ଘାରୁଛି ସେହି ଭୟ ଆଉ ସେହି ବେଦନାର କଥା । ଆନ୍ଧ୍ରପ୍ରଦେଶର କଣ୍ଟକାପାଲି ଆଲମଣ୍ଡା ଷ୍ଟେସନ ନିକଟରେ ଘଟିଛି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ପ୍ରଥମେ ଗୋଟିଏ ଟ୍ରେନ ଲାଇନଚ୍ୟୁତ ହେବା ପରେ ପରବର୍ତ୍ତୀ ସମୟରେ ୨ଟି ଟ୍ରେନ ଆସି ତାହାକୁ ଧକ୍କା ଦେଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସହାୟତା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ (ପିଏମଏନଆରଏଫ) ପକ୍ଷରୁ ଟ୍ରେନ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଦୁର୍ଘଟଣାର ମୃତକଙ୍କ ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ତ୍ୱରିତ ଭାବେ ଉଦ୍ଧାର କାର୍ଯ୍ୟ କରିବା ଓ ଯଥାସମ୍ଭବ ଆମ୍ବୁଲାନ୍ସ ପଠାଇବାକୁ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଆଦେଶ ଜାରି କରିଛନ୍ତି । ବାହାନଗା ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ଦେଶରେ ବିଭିନ୍ନ ଛୋଟ ବଡ଼ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ତେଣୁ ଏସବୁ ଘଟଣା ଦେଖିବା ପରେ ମନରେ କେବଳ ଗୋଟିଏ ପ୍ରଶ୍ନ ଆସୁଛି, ‘କଣ ୨୦୨୩ ବର୍ଷ ଭାରତୀୟ ରେଳବାଇ ପାଇଁ ଶୁଭ ନୁହେଁ?’

Get real time updates directly on you device, subscribe now.