ଅଶାନ୍ତ ହେଲାଣି ସମୁଦ୍ର, ବଢୁଛି ପବନର ବେଗ…. କେତେ ଦୂରରେ ହେଲାଣି ‘ଦାନା’?

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଆଡ଼କୁ ତୀବ୍ର ଗତିରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭିତରକନିକା-ଧାମରା ମଧ୍ୟରେ ଏହି ବାତ୍ୟା ଲ୍ୟଣ୍ଡଫଲ କରିବ ବୋଲି ପାଣିପାଗ ସୂଚନା ଦେଇଛି । ତେବେ ସ୍ଥଳଭାଗରୁ ଆଉ ୪୦୦ କିଲୋମିଟର ଦୂରରେ ଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଭଳି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ଏହାବ୍ୟତୀତ ସମୁଦ୍ର ମଧ୍ୟ ଧିରେ ଧିରେ ଅଶାନ୍ତ ହେବା ଆରମ୍ଭ କରିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା ‘ଦାନା’ ପାରାଦୀପ ଠାରୁ ପ୍ରାୟ ୪୨୦ କିଲୋମିଟର ଦୂରରେ ଥିବା ରେକର୍ଡ କରାଯାଇଛି । ସେହିପରି ଧାମରା ବନ୍ଦରରୁ ମଧ୍ୟ ବାତ୍ୟା ପ୍ରାୟ ୪୫୦ କିଲୋମିଟର ଦୂରରେ ରହିଛି । ଅନ୍ୟ ପକ୍ଷରେ ସାଗର ଦ୍ୱୀପରୁ ଏହି ବାତ୍ୟା ପ୍ରାୟ ୫୦୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗତ ୬ ଘଣ୍ଟାରୁ ସମୁଦ୍ର ଭିତରେ ବାତ୍ୟାର ବେଗ ପ୍ରାୟ ୧୨ କିଲୋମିଟର ରହିଛି । ଗୁରୁବାର ସକାଳେ ଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।