ସତ ଓଗାଳିଲା ସନ୍ଦିଗ୍ଧ: ନିଜ ମୁହଁରେ ମାନିଲା ରୋଷଘର ଚୁଲି ଭାଙ୍ଗିବାର ସମ୍ପୂର୍ଣ୍ଣ କାହାଣୀ

ପୁରୀ: ଶ୍ରୀମନ୍ଦିର ରୋଷଘରେୁ ପଶି ଚୁଲି ଭାଙ୍ଗିବା ଘଟରାରେ ସମ୍ପୂର୍ଣ୍ଣ ସତ କଥା ଓଗାଳିଛି ଅଭିଯୁକ୍ତ ଜଗନ ମହାପାତ୍ର । ଚୁଲି ଭାଙ୍ଗିବାର କାରଣ ଏବଂ କେମିତି ଚୁଲି ଭାଙ୍ଗିଥିଲା ସେ ନେଇ ସମସ୍ତ ତଥ୍ୟ ଜଗନ ପୋଲିସ ଆଗରେ ବଖାଣିଛି । ଧରା ପଡିବା ପରେ ପୋଲିସକୁ ସେଦିନର ସବୁ ଘଟଣାକୁ ଗୋଟି ଗୋଟି କରି ବୟାନ କରିଛି । ଘଟରା ଦିନ ସେ ମନ୍ଦିରରେ ଥିବା ନେଇ ପୋଲିସକୁ ସୂଚନା ଦେଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୁବ ଭଲ ପାଏ ଏବଂ ଭକ୍ତି କରୁଥିବା କହିଛି ଅଭିଯୁକ୍ତ ଜଗନ । କିନ୍ତୁ କିଛି ଲୋକଙ୍କ ଗରିବି ଏବଂ ଭୋକିଲା ମୁହଁ ତାଙ୍କୁ ଏମିତି କରିବାକୁ ବାଧ୍ୟ କରିଥିଲା ବୋଲି ସେ କହିଛି । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଘରେ ଦି ଓଳି ଦି ମୁଠା ଖାଇବା ପାଇଁ ନାହିଁ । ସେପଟେ ଅନ୍ୟ କାହା ଘରେ ଖାଦ୍ୟ ପିଙ୍ଗାଯାଉଛି । ଏହି କଥାକୁ ନେଇ ଜଗନ ମନରେ ଅଭିମାନ ବସା ବାନ୍ଧିଥିଲା । ତେଣୁ ସେ ସେହି ଅଭିମାନାରେ ଜଗନ୍ନାଥଙ୍କ ରୋଷଘରେ ପଶି ଚୁଲି ଭାଙ୍ଗି ଦେଇଥିବା ପ୍ରକାଶ କରିଛି । କାହା ଚାପରେ କିମ୍ବା ପ୍ରରୋଚନାରେ ଏପରି କାଣ୍ଡ କରି ନଥିବା ଜଗନ ସୂଚନା ଦେଇଛି । ତେବେ ଯଦି କୁହାଯିବ ପୁଣି ଥରେ ରୋଷଘରର ଚୁଲି ତିଆରି କରି ଦେବି ବୋଲି ଅଭିଯୁକ୍ତ ପୋଲିସ ଆଗରେ ପ୍ରତିକ୍ରିୟା ରଖିଛି ।

ରୋଷଘରେ କେହି ନଥିବା ବେଳେ ସେଠାକୁ ଯାଇଥିଲା ବୋଲି ଜଗନ କହିଛି । ରୋଷଘର ଖୋଲାଥିବା ସହିତ ଭିତରେ ଲାଇଟ ମଧ୍ୟ ଜଳୁଥିଲା । ଏହାର ସୁଯୋଗ ନେଇ ପ୍ରଥମେ ସେଠାରେ ସପାସଫି କରିବା ପରେ ଚୁଲି ଭାଙ୍ଗିଥିବା ଜଗନ ସ୍ୱୀକାର କରିଛି । ସବୁ ଚୁଲିକୁ ହାତରେ ବାଡେଇ ଭାଙ୍ଗିଥିବା ସେ ପୋଲିସକୁ ବୟାନ ଦେଇଛି । କିନ୍ତୁ କ’ଣ ପାଇଁ ଏବଂ କେତେ ଚୁଲି ଭାଙ୍ଗିଛି ତାହା ମନେ ନଥିବା କହିଛି ଅଭିଯୁକ୍ତ । ତେବେ ଏଭଳି କରିବା ସମୟରେ ଜଗନକୁ ୩-୪ ଜଣ ଜେଟିପି ଦେଖି ନେଇଥିଲେ । ସେ ବାହାରକୁ ଯିବାକୁ କହିବାରୁ ପଳାଇ ଆସିଥିଲା ଜଗନ ଏବଂ ପରେ ଗାଁକୁ ଫେରି ଯାଇଥିବା ଜଗନ ସ୍ୱୀକାର କରିଛି ।