Breaking: ଆଶଙ୍କା ବଢ଼ାଉଛି ଅଂଶୁଘାତ, ୩ ଦିନ ଯାଏଁ ତାତିରୁ ତ୍ରାହି ନାହିଁ

ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୨ ଡିଗ୍ରୀ ପାର କଲା ତାତି। ଆସନ୍ତା ୩ ଦିନ ଯାଏଁ ଖରାରୁ ତ୍ରାହି ନାହିଁ। ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ।

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ମାସ ଆରମ୍ଭରୁ ଆକାଶରୁ ହେଉଛି ନିଆଁ ବର୍ଷା। ଆଜିଠୁ ତାପମାତ୍ରା ୪୨ ଡିଗ୍ରୀ ପାର କଲାଣି। ତେଣୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ।

ଏହାସହ ଆସନ୍ତା ୩ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବନାହିଁ। କହିବାକୁ ଆସନ୍ତା ୩ ଦିନ ଆକାଶରୁ ନିଆଁ ବର୍ଷା ହେବ। ଏବେ ଯେଉଁଭଳି ଖରା ହେଉଛି ମନେ ହେଉଛି ଏପ୍ରିଲ-ମେଁ ମାସ ଚାଲିଛି।

ଆଉ ଦିନକୁ ଦିନ ଏପରି ପାରଦ ବୃଦ୍ଧି ଅଂଶୁଘାତ ଆଶଙ୍କା ବଢ଼ାଉଛି। ତେଣୁ ସମସ୍ତେଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ଦିନ ରାଜ୍ୟରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି।

ଏହାସହ ଆଉ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଳାଗୁଡ଼ିକ ହେଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ। ସେହିପରି ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଯକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଦେଖିବାକୁ ଗଲେ ବୌଦ୍ଧ ସହର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୨ ଡିଗ୍ରୀ ପାର କରିଛି ତାତି। ଗତକାଲି ୪୨.୫ ଡିଗ୍ରୀ ସହ ବୌଦ୍ଧ, ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ସମ୍ବଲପୁରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେଣୁ ଆଜିବି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।