ସ୍ୱାଧୀନତାର ୭୮ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ସବୁ ଗାଁରେ ଉଡ଼ିବ ତ୍ରିରଙ୍ଗା ପତାକା
ଦେଶ ସ୍ୱାଧୀନ ହେବା ପରେ ବି କାହିଁକି ଏହି ୧୪ଟି ଗାଁରେ ପାଳନ କରାଯାଇନି ସ୍ୱାଧୀନତା ଦିବସ?
ଛତିଶଗଡ଼: ଆମ ଦେଶ ସ୍ୱାଧୀନ ହେବାର ୭୯ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ କେବେବି ଉଡ଼ିନି ତ୍ରିରଙ୍ଗା ପତାକା। ହେଲେ ଏହି ବର୍ଷ ଉଡ଼ିବ। କିନ୍ତୁ ଆପଣମାନେ ଜାଣିଛନ୍ତି କି ଦେଶ ସ୍ୱାଧୀନ ହେବା ପରେ ବି କାହିଁକି ଏହିସବୁ ଗାଁରେ ଉଡିନି ଜାତୀୟ ପତାକା।
ହଁ ଆଜ୍ଞା ଏଥର ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳର ୧୪ଟି ଦୁର୍ଗମ ଗାଁରେ ସ୍ୱାଧୀନତା ଦିବସ ପାଳନ ହେବ। ଏହି ଗାଁ ଗୁଡ଼ିକରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ସ୍ୱାଧୀନତା ପରଠାରୁ ବସ୍ତରର ଏହି ଗାଁଗୁଡ଼ିକରେ ଏପରି କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ। ହେଲେ ଏହିବର୍ଷ ନକ୍ସଲମାନଙ୍କ ଭୟରେ ଘାରି ରହିଥିବା ଏହି ଗାଁଗୁଡ଼ିକରେ ସୁରକ୍ଷା ବାହିନୀର ନୂତନ ଶିବିର ଆଶାର କିରଣ ଆଣିଛି। ଲୋକମାନେ ପୂର୍ଣ୍ଣ ଉତ୍ସାହ ସହିତ ଅଗଷ୍ଟ ୧୫ ପାଳନ କରିବା ପାଇଁ ଉତ୍ସାହିତ ଅଛନ୍ତି।
ସେହି ୧୪ଟି ଗାଁର ନାମ କ’ଣ: ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ବିଜାପୁର ଜିଲ୍ଲାର ଗୁଞ୍ଜେପର୍ଟି, ପୂଜାରୀକାଙ୍କେର, ଭୀମାରାମ, କୋରଚୋଲି ଏବଂ କୋଟପାଲି ଗ୍ରାମରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ପାଳନ କରାଯିବ।
ଏହାସହ ନାରାୟଣପୁର ଜିଲ୍ଲାର କୁତୁଲ, ବେଦମାକୋଟି, ପଦ୍ମକୋଟ, କାଣ୍ଡୁଲନାର, ନେଲାଙ୍ଗୁର, ପାଙ୍ଗୁର, ରାଇନାର ଏବଂ ସୁକମା ଜିଲ୍ଲାର ଉସକାୱାୟା ଏବଂ ନୁଲକାଟୋଙ୍ଗରେ ତ୍ରିରଙ୍ଗା ଉତୋଳନ କରାଯିବ।
ଏହା ବ୍ୟତୀତ ୧୫ଟି ଅନ୍ୟ ଗାଁରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯିବ, ଯେଉଁଠାରେ ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରାଯାଇଥିଲା।
ନକ୍ସଲବାଦୀଙ୍କ ଭୟ କମିଛି: ବସ୍ତର ରେଞ୍ଜର ପୋଲିସ ମହାନିରୀକ୍ଷକ ସୁନ୍ଦରରାଜ ପି. କହିଛନ୍ତି, ‘ଏହି ଗ୍ରାମଗୁଡ଼ିକ ନିକଟରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ହେବା ଯୋଗୁଁ ନକ୍ସଲବାଦୀଙ୍କ ପ୍ରଭାବ ହ୍ରାସ ପାଇଛି।
ପୂର୍ବରୁ ନକ୍ସଲବାଦୀମାନେ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ କଳା ପତାକା ଉତ୍ତୋଳନ କରୁଥିଲେ, କିନ୍ତୁ ଏବେ ଏପରି ଘଟଣା ପ୍ରାୟ ସମାପ୍ତ ହୋଇଯାଇଛି।
ଏଥର ଏହି ଗ୍ରାମଗୁଡ଼ିକରେ ପୂର୍ଣ୍ଣ ଗର୍ବ ଏବଂ ଉତ୍ସାହର ସହିତ ତ୍ରିରଙ୍ଗା ଉତ୍ତୋଳନ କରାଯିବ। ଅଗଷ୍ଟ ୧୫ର ଏହି ଦିନ ବସ୍ତର ପାଇଁ ଐତିହାସିକ ହେବ। ପୂର୍ବରୁ ଯେଉଁଠାରେ ଭୟର ପରିବେଶ ଥିଲା, ଆଜି ଲୋକମାନେ ଖୁସି ଏବଂ ଉତ୍ସାହର ସହିତ ସ୍ୱାଧୀନତା ପାଳନ କରୁଛନ୍ତି।’
ସୁରକ୍ଷା ବାହିନୀ ଆଶା ଜାଗ୍ରତ କରିଥିଲେ: ସୁନ୍ଦରରାଜ କହିଛନ୍ତି ଯେ ସୁରକ୍ଷା ବାହିନୀର କଠିନ ପରିଶ୍ରମ ଏବଂ ନୂତନ ଶିବିର ପ୍ରତିଷ୍ଠା ଏହି ଗ୍ରାମଗୁଡ଼ିକରେ ପରିବର୍ତ୍ତନ ଆଣିଛି।
ଏହି ଶିବିରଗୁଡ଼ିକ କେବଳ ସୁରକ୍ଷାର ବାତାବରଣ ସୃଷ୍ଟି କରିନାହିଁ ବରଂ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଆଶା ମଧ୍ୟ ସୃଷ୍ଟି କରିଛି। ଗାଁଲୋକ ଏବଂ ସୈନିକମାନେ ଏହି ଉତ୍ସବ ପାଇଁ ଏକାଠି ପ୍ରସ୍ତୁତି କରୁଛନ୍ତି। ଯାହା ପ୍ରଶାସନ, ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଭାଇଚାରା ପ୍ରତିଫଳିତ କରେ।
ସେ କହିଛନ୍ତି, ‘ଏହି ସ୍ୱାଧୀନତା ଦିବସ ବସ୍ତରକୁ ଭାରତର ମାନଚିତ୍ରରେ ଆହୁରି ଉଜ୍ଜ୍ୱଳ କରିବ। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଲୋକଙ୍କ ହୃଦୟରେ ସ୍ୱାଧୀନତାର ଭାବନାର ପ୍ରତୀକ।’
ଦୃଢ଼ ସୁରକ୍ଷା ବ୍ୟବସ୍ଥା: ବସ୍ତର ରେଞ୍ଜରେ ସ୍ୱାଧୀନତା ଦିବସ ପାଳନକୁ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ କହିଛି।
ଜିଲ୍ଲା ରିଜର୍ଭ ଗାର୍ଡ, ବସ୍ତର ଫାଇଟର୍ସ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏହି ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ୍ କରୁଛନ୍ତି।
ବିଶେଷକରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକୁ ଆହୁରି ମଜବୁତ କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ରାଜ୍ୟ ସରକାର ରାଜଧାନୀ ରାୟପୁର ସମେତ ସମସ୍ତ ଜିଲ୍ଲାରେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ କରିଛି।
ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ ସକାଳେ ରାୟପୁରର ପୋଲିସ ପରେଡ୍ ଗ୍ରାଉଣ୍ଡରେ ତ୍ରିରଙ୍ଗା ଉତ୍ତୋଳନ କରିବେ ଏବଂ ବିଭିନ୍ନ ସୁରକ୍ଷା ବାହିନୀର ଦଳଙ୍କଠାରୁ ସାଲ୍ୟୁଟ୍ ଗ୍ରହଣ କରିବେ।