fbpx
BJD SKY
BJD SKY

ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍, ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଲେ ଯୋଗୀ ସରକାର

BJD

ଲଖନଉ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଡିଜେଲ-ପେଟ୍ରୋଲର ଆକାଶ ଛୁଆଁ ଦରୁ କିଛିଟା ଆଶ୍ୱସ୍ତି ମିଳିପାରେ । ଏହି ବିଷୟରେ ନିର୍ଣ୍ଣୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟା ୫ଟା ୩୦ରେ ଲଖନଉ ସ୍ଥିତ ନିଜ ବାସଭବନରେ ବୈଠକ ଡକାଇଛନ୍ତି । ଏହି ବୈଠକରେ ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ନେଇ ବିଚାର ବିମର୍ଶ କରାଯାଇପାରେ । ଏହା ଉପରେ ସମୀକ୍ଷା କରାଯିବ ଯେ, ଜନତାଙ୍କୁ କେତେ ଦୂର ପର୍ଯ୍ୟନ୍ତ ବର୍ଦ୍ଧିତ ତୈଳ ଦରରୁ ଆଶ୍ୱସ୍ତି ଦିଆଯାଇ ପାରିବ ।

ବୈଠକରେ ପେଟ୍ରୋଲ-ଡିଜେଲ୍ ଉପରେ ରାଜ୍ୟରେ ଲାଗୁଥିବା ଭ୍ୟାଟ୍ ଉପରେ ଆଲୋଚନା ହୋଇପାରେ । ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି । ଡିଜେଲ୍ ମଧ୍ୟ ୧୦୦ ଟଙ୍କାର ନିକଟତର । କୁହାଯାଉଛି, ନିର୍ବାଚନ ହେବାକୁ ଯାଉଥିବାରୁ ଯୋଗୀ ସରକାର ଭ୍ୟାଟ୍ ହ୍ରାସ କରି ପାରନ୍ତି ।

ଗୁରୁବାର ଉତ୍ତର ପ୍ରଦେଶରେ ଏକ ଲିଟର ପେଟ୍ରୋଲ ଦାମ ୧୦୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ୍ ମୂଲ୍ୟ ରହିଛି ୯୭.୪୮ ଟଙ୍କା । ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ତୈଳ ଦର କମ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି । ସାଉଦି ଆରବ ଏବଂ ଉପ ସାଗରୀୟ ଦେଶଗୁଡିକ ସହିତ ଆଲୋଚନା ଜାରି ରହିଛି, ଯଦ୍ୱାରା କମ ଦରରେ ଅଶୋଧିତ ତୈଳ ଆମଦାନୀ କରାଯାଇ ପାରିବ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ଅର୍ଥ ବିଭାଗର ଅଧିକାରୀ ସାମିଲ ହେବେ । ଏହା ବାଦ ଜମାଖୋରୀ ଏବଂ କଳାବଜାରୀ ଉପରେ ରୋକ୍ ଲଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ପାର୍ବଣ ଋତୁରେ ଖାଇବା ତେଲ, ପନିପରିବାର ଚଢା ଦର ଉପରେ ଅଙ୍କୁଶ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ପାରନ୍ତି ।

 

Get real time updates directly on you device, subscribe now.