୩ଟି ଜିଲ୍ଲାରେ ବ୍ୟତ୍ୟାର ଅଧିକ ପ୍ରଭାବ ପଡ଼ିବ: ୧୦୦-୧୨୦ କି.ମି ବେଗରେ ବହିପାରେ ପବନ, ଆସିବ ଉଚ୍ଚ ଜୁଆର

ଓଡ଼ିଶା ଭାସ୍କର: ଲ୍ୟାଣ୍ଡଫଲ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲାଣି ବାତ୍ୟା ‘ଦାନା’ । ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ସୁଦ୍ଧା ଏହି ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇ ସାରିଲାଣି । ଆଗକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାରେ ବିଶେଷ କରି ୩ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ‘ଦାନା’ର ଅଧିକ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।

ବାତ୍ୟାର ଲ୍ୟାଣ୍ଡଫଲ ପରେ ଏହି ୩ଟି ଜିଲ୍ଲାରେ ପବନର ବେଗ ୧୦୦-୧୨୦ କିଲୋମିଟର ରହିପାରେ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ତେବେ ମୟୁରଭଞ୍ଜରେ ପବନର ବେଗ ସାମାନ୍ୟ କମ୍ ରହିପାରେ । ଏହି ଜିଲ୍ଲାରେ ପଆୟ ୮୦-୯୦ କିଲେମିଯର ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି । ସେହିପରି ଜଗତସିଂହପୁର, କଟଖ ଏବଂ ଯାଜପୁରରେ ପବନର ବେଗ ୬୦-୮୦ କିଲୋମିଟର ମଧ୍ୟରେ ରହିପାରେ । ଏହାବ୍ୟତୀତ ପୁରୀ, ଖୋର୍ଦ୍ଧା, ଢେଙ୍‌କାନାଳ, କେନ୍ଦୁଝର ଆଦି ଜିଲ୍ଲାରେ ୬୦-୭୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।