ଆଜିଠାରୁ ବଦଳିଲା ଏହି ୭ଟି ନିୟମ: ବ୍ୟାଙ୍କିଙ୍ଗ ସେବା, ଗ୍ୟାସ ସିଲିଣ୍ଡର, ବୀମା ପଲିସୀ ଆଦିରେ ଦେଖିବାକୁ ମିଳିବ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତ୍ୟେକ ମାସ ପହିଲାରୁ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ତେବେ ଆଜି ସେପ୍ଟେମ୍ବର ମାସ ୧ ତାରିଖ ହୋଇଥିବା ବେଳେ ଆଜିଠାରୁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ଆପଣଙ୍କ ପକେଟ ଉପରେ ଏହାର ପ୍ରଭାବ ପଡ଼ିପାରେ । ବ୍ୟାଙ୍କିଂ ସେବା, ଜମି କିଣିବା, ଗ୍ୟାସ ସିଲିଣ୍ଡର ମୂଲ୍ୟ ଆଦି କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିବ ।

୧- ପ୍ରତ୍ୟେକ ମାସ ୧ ତାରିଖରେ ପେଟ୍ରୋଲିୟମ କମ୍ପାନୀମାନେ ରୋଷେଇ ଗ୍ୟାସ ମୂଲ୍ୟରେ ପରିବର୍ତ୍ତନ କରିଥାନ୍ତି । ଚଳିତ ମାସରେ ମଧ୍ୟ କମ୍ପାନୀମାନେ ଗ୍ରାହକଙ୍କୁ ଝଟକା ଦେଇଛନ୍ତି । ଆଜିଠାରୁ ରୋଷେଇ ଗ୍ୟାସ ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ହୋଇଛି ।

୨- ଯଦି ଆପଣ ଯମୁନା ଏକ୍ସପ୍ରେସରେ ଯାତ୍ରା କରୁଥାନ୍ତି, ତେବେ ଆପଣଙ୍କୁ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିବ । କାର, ଜିପ, ଭ୍ୟାନ ଓ ଅନ୍ୟ ମୋଟର ଯାନ ପାଇଁ ଟୋଲ ଟ୍ୟାକ୍ସ ୨.୬୫ କିଲୋମିଟର ପିଛା ୨.୫୦ ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ ୧ କିମି ପିଛା ୧୦ ପଇସା ବୃଦ୍ଧି କରାଯାଇଛି ।

୩- ଯଦି ଆପଣ ଗାଜିଆବାଦରେ ପ୍ରପର୍ଟି କିଣିବାକୁ ପ୍ଲାନିଂ କରୁଥାନ୍ତି, ତେବେ ଏହା ଆପଣଙ୍କୁ ଝଟକା ଦେବ । ଏଠାରେ ଜମି କିଣିବାକୁ ହେଲେ ଆପଣଙ୍କୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ । ଗାଜିଆବାଦରେ ସର୍କିଲ ରେଟ ୨ରୁ ୪ ପ୍ରତିଶତ ବୃଦ୍ଧି ପାଇଛି ।

୪- ଆଇଆରଡିଏଆଇ ଅନୁଯାୟୀ, ଏଣିକି ଇନ୍ସ୍ୟୁରାନ୍ସ ଏଜେଣ୍ଟଙ୍କୁ ୩୦ରୁ ୩୫ ପ୍ରତିଶତ ବଦଳରେ ୨୦ ପ୍ରତିଶତ କମିସନ ମିଳିବ । ଆସନ୍ତା ୧୫ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ।

୫- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କେୱାଇସି ଅପଡେଟ କରିବା ଡେଡଲାଇନ ସମାପ୍ତ ହୋଇଯାଇଛି । ଯେଉଁମାନେ କେୱାଇସି କରିନଥିବେ ସେମାନେ ଆର୍ଥିକ କାରବାର କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

୬- ଆଜିଠରାରୁ ଜାତୀୟ ପେନସନ ଯୋଜନାରେ ଖାତା ଖୋଲିଲେ ପଏଣ୍ଟ ଅଫ୍ ପ୍ରେଜେନ୍ସ (ପିଓପି)ରେ କମିସନ ଭରଣା କରିବାକୁ ପଡ଼ିବ । ଏହି କମିସନ ୧୦ ଟଙ୍କାରୁ ଆରମ୍ଭ କରି ୧୫ ହଜାର ପର୍ଯ୍ୟନ୍ତ ରହିବ ।

୭- ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଫାଇଦା ଉଠାଇବା ପାଇଁ ଇ-କେୱାଇସି କରିବା ପାଇଁ ଅଗଷ୍ଟ ୩୧ ତାରିଖ ଅନ୍ତିମ ତାରିଖ ଥିଲା । ଯେଉଁମାନେ ଏହି କାର୍ଯ୍ୟ କରିନଥିବେ ସେମାନଙ୍କର କିସ୍ତି ଅଟକିବାର ସମ୍ଭାବନା ରହିଛି ।