ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତରେ ମୁନଲାଇଟିଂ ବିଷୟରେ ଖୁବ୍ ଚର୍ଚ୍ଚା ଚାଲିଛି। କିଛି ଭାରତୀୟ କମ୍ପାନୀ ମୁନଲାଇଟିଂ ଅଭିଯୋଗରେ ଅନେକ କର୍ମଚାରୀଙ୍କୁ ଛଟେଇ ମଧ୍ୟ କରିଛନ୍ତି। ତେବେ ସରକାର ମୁନଲାଇଟିଂ ବିଷୟରେ କମ୍ପାନୀକୁ ଛାଡ଼ି କର୍ମଚାରୀମାନଙ୍କ ସାଥ୍ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ବିଷୟରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଯଦି ଦକ୍ଷତା ଅଛି ତେବେ କର୍ମଚାରୀମାନେ ଏକାଧିକ କମ୍ପାନୀରେ କାର୍ଯ୍ୟ କରିବାରେ କୋଣସି ଅସୁବିଧା ନାହିଁ। କିନ୍ତୁ ବର୍ତ୍ତମାନ ଆୟକର ଅଧିକାରୀ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏଏସ୍) ମୁନଲାଇଟିଂ କାର୍ଯ୍ୟ କରୁଥିବା କର୍ମଚାରିଙ୍କୁ ସତର୍କ କରାଇ ଦେଇଛନ୍ତି।
ସିଏଏସ ମାନେ କହିଛନ୍ତି ଯେ, ଆଇଟି କର୍ମଚାରୀମାନେ ନିୟମିତ ଭାବେ ସେମାନଙ୍କର ଆୟକର ଟିକସ ଦାଖଲ କରୁଥାନ୍ତୁ। ପେରିକି ଏଥିରେ କର୍ମଚାରୀମାନେ ନିଜର ଅତିରିକ୍ତ ଆୟକୁ ମଧ୍ୟ ସାମିଲ କରିବା ଉଚିତ୍। ଏପରି ନକରିବା ଦ୍ୱାରା ଆପଣଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ମିଳିପାରେ। ପୁର୍ବରୁ ଆଇଟି କମ୍ପାନୀମାନେ ମୁନଲାଇଟିଂକୁ ନେଇ ସେମାନଙ୍କର ଚିନ୍ତା ଜାହିର କରି ସାରିଛନ୍ତି। କିଛି କମ୍ପାନୀ କର୍ମଚାରୀମାନଙ୍କୁ ଛଟେଇ କରିଥିବା ବେଳେ ଏବଳି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସତର୍କ କରାଇ ଦେଇଛନ୍ତି।
କରୋନା ମହାମାରୀ ପରେ କମ୍ପାନୀମାନେ ସେମାନଙ୍କ କର୍ମଚାରିଙ୍କୁ ଘରେ ରହି କାମ କରିବାକୁ ସୁଯୋଗ ଦେଇଥିଲେ। ଯାହାର ଫାଇଦା ନେଇ କର୍ମଚାରୀମାନେ ଏକାଧିକ କମ୍ପାନୀ ପାଇଁ କାର୍ଯ୍ୟ କରିଥିଲେ। ଯାହାକୁ ମୁନଲାଇଟିଂ ବୋଲି କୁହାଯାଉଛି।