fbpx

ଓଡ଼ିଶାରୁ ଚିହ୍ନଟ ହେଲେ ପୁଣି ୩ ଜଣ କୋଭିଡ୍ ପଜିଟିଭ୍: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁ ନେଇ ଦେଶରେ ଆଶଙ୍କା ବଢ଼ି ଚାଲିଥିବା ବେଳେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୭୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏହା ମଧ୍ୟରେ ଭାଇରସ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି । ଗତକାଲି ରାଜ୍ୟରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି ।

ରାଜ୍ୟରେ ୩ ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ରାଜ୍ୟରେ ଜେଏନ.୧ ସବ-ଭାରିଆଣ୍ଟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ଲୋକମାନେ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି । କୋଭିଡ୍ ଟେଷ୍ଟିଂ ବଢ଼ିଚାଲିଥିବା ବେଳେ ଗତକାଲି ୬୮୦ଟି ଟେଷ୍ଟ ହୋଇଥିଲା । ସେଥିମଧ୍ୟରେ ୩୭୮ଟି ଆରଟିପିସିଆର ରହିଥିଲା । ସମସ୍ତ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି । କେହି ମେଡିକାଲରେ ଆଡମିଟ୍ ହୋଇନାହାନ୍ତି । ତେଣୁ ଏନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କରୋନା ଆଗକୁ ବଢ଼ିବା କି ନା ସେନେଇ କିଛି କହିହେବନି । ଯଦି ବଢ଼ିବ ତେବେ ତା’ର ଭୟାବହତାର ଆଶଙ୍କା କମ୍ ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.