ଜଳଛତ୍ର ପାଣିରେ କୀଟନାଶକ ମିଶାଇଥିଲା ଦୁର୍ବୃତ୍ତ, ପିଉ ପିଉ ଟଳି ପଡ଼ିଲେ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳଛତ୍ର ପାଣିରେ ବିଷ! ଜଳଛତ୍ର ପାଣି ପିଇ ତିନିଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କେହି ଜଣେ ଦୁର୍ବୃତ୍ତ ଜଳଛତ୍ର ପାଣିରେ ବିଷ ମିଶାଇ ଦେଇଥିବା ଅଭିଯୋଗ ଆସିଛି । ସମସ୍ତ ଗୁରୁତରଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜଳଛତ୍ରରେ ବିଷ ମିଶାଇଲା କିଏ ଓ କ’ଣ ରହିଛି ତା’ର ଉଦ୍ଦେଶ୍ୟ?

ମାଲକାନଗିରି ଜିଲ୍ଲାର ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣାପଡ଼ିଛି ଯେ, ଗ୍ରାମବାସୀ ଓ ପଞ୍ଚାୟତର ସହଯୋଗରେ ଏମପିଭି ୪୯ ଗ୍ରାମର ଛକଠାରେ କିଛିଦିନ ପୂର୍ବରୁ ଏକ ଜଳଛତ୍ର ଖୋଲା ଯାଇଥିଲା । ଉକ୍ତ ଜଳଛତ୍ରର ରକ୍ଷଣାବେକ୍ଷଣ ଓ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ଜଣେ ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା ।

ତେବେ ସବୁଦିନ ଭଳି ମହିଳା ଜଣଙ୍କ ଜଳଛତ୍ରର ମାଟି ହାଣ୍ଡିରେ ପାଣି ଭରି ଅପରାହ୍ଣ ୩ଟା ସମୟରେ ନିଜ ଘରକୁ ଚାଲିଯାଇଥିଲେ । ଏହାପରେ କିଛି ଲୋକ ଉକ୍ତ ଜଳଛତ୍ରରୁ ପାଣି ପିଇଥିଲେ । ହଠାତ୍ କିଛି ସମୟ ପରେ ଜଣଙ୍କ ପରେ ଜଣେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଉକ୍ତ ପାଣିରେ ଚାଷ କାର୍ଯ୍ୟରେ ବ୍ୟବହୃତ କୀଟନାଶକ ଔଷଧ ମିଶିଥିବା ଯାଞ୍ଚରୁ ଜଣାପଡ଼ିଛି । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ଜଳ ଉପରେ ନିର୍ଭର କରୁଥିବା ବେଳେ ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।