fbpx

BDOଙ୍କୁ ୩ ବର୍ଷ ଜେଲ: ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟର ବହୁ ସରକାରୀ କର୍ମଚାରୀ ବେଆଇନ ଅର୍ଥ କାରବାରରେ ଜଡ଼ିତ ରହିଛନ୍ତି । ଦୈନିକ ରାଜ୍ୟର କେଉଁଠି ନା କେଉଁଠି ଜଣେ ସରକାରୀ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଲାଞ୍ଚ ମାମଲାରେ ଧରାପଡ଼ୁଥିବା ଦେଖାଯାଉଛି । ଏପରି କ୍ଷେତ୍ରରେ ଭିଜିଲାନ୍ସ ଟିମର ରେଡ ପରେ ଏହି ଲାଞ୍ଚୁଆ କର୍ମଚାରୀଙ୍କ ଘରୁ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଉଛି । ଅନେକ କର୍ମଚାରୀ ମଧ୍ୟ ଜେଲ୍ ଯାଉଛନ୍ତି ।

ତେବେ ଲାଞ୍ଚ ମାମଲାରେ ଆଜି ରାଜ୍ୟର ଜଣେ ସରକାରୀ ଅଧିକାରୀଙ୍କୁ ଜେଲ ଶୁଣାଣି କରାଯାଇଛି । ରାଜ୍ୟର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ବିଡିଓ ଭାବେ କାର୍ଯ୍ୟରତ ଜଣେ ସରକାରୀ ବାବୁ ଜେଲ ଯାଇଛନ୍ତି । ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ବେହେରାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ପୂର୍ବରୁ କୈଳାସ ରାଉରକେଲାର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୯ ମସିହାରେ କୈଳାସ ଏକ ମାମଲାରେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ । ଏକ ମାମଲାରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ ନ କରିବାକୁ କୈଳାସ ଏହି ଲାଞ୍ଚ ନେଇଥିବା ଜଣାପଡ଼ିଥିଲା ।

ତେବେ ଏହି ମାମଲା ପୂର୍ବରୁ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆଜି ଆସିଛି ଫାଇନାଲ ଶୁଣାଣି । ବିଡିଓ କୈଳାସଙ୍କୁ ୩ ବର୍ଷର ଜେଲଦଣ୍ଡ ସହ ୫ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି । ଏହି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ତେବେ ବିଡିଓ ପଦରେ କାର୍ଯ୍ୟରତ ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜେଲଦଣ୍ଡାଦେଶ ଶୁଣାଣି ହେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.