fbpx

ବାପା, ମାଆ, ଭାଇ, ଭଉଣୀ ସମସ୍ତେ ମୋତେ ଏକା କରି ଚାଲିଗଲେ, ଏକା ବଞ୍ଚିଛି ମୁଁ

ନୂଆଦିଲ୍ଲୀ: ପ୍ରକୃତିର ପ୍ରକୋପ କେତେ ଯେ ଭୟଙ୍କର ତାହା ଭାଷାରେ କହିହେବ ନାହିଁ । ଅନେକ ସମୟରେ ପ୍ର୍ରାକୃିତିକ ଦୁର୍ବିପାକ କାରଣରୁ ବହୁ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାନ୍ତି । ତେବେ ନିକଟରେ ଘଟିଥିବା ଆଫଗାନିସ୍ତାନ ଭୂକମ୍ପ ଆଣିଦେଇଛି ଏକ କୁନି ଛୁଆର ଜୀବନରେ ଅଜସ୍ର ଦୁଃଖ । ପରିବାରର ଆତ୍ମୀୟସ୍ୱଜନମାନେ ତାକୁ ଏକା ଛାଡ଼ି କରି ଆରପାରିକୁ ଚାଲିଯାଇଛନ୍ତି । ଆଉ ସେ ରହିଯାଇଛି ଏକା, ସମ୍ପୂର୍ଣ୍ଣ ଏକା । ତା’ର ସେଇ ସରଳ, ନିରୀହ ମୁହଁର ଛବି ଆଜି ସୋସିଆଲ ମିଡ଼ିଆରେ ଭାଇରାଳ ହେବାରେ ଲାଗିଛି ।

ତେବେ ଏଇ କୁନି ଛୁଆଟିର ଫଟୋ ଭାଇରାଲ ହେବା ପରେ ଅନେକ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଗୋଟିଏ ପରିବାରର ସମସ୍ତ ସଦସ୍ୟ ଭୂକମ୍ପରେ ଆରପାରିକୁ ଚାଲିଯିବା ପରେ ସେ କୁନି ଛୁଆଟି ଆଜି ଏକା ହୋଇ ଯାଇଛି । ତା’ର ଏ ଦୁନିଆରେ ଯେ ଆଉ କେହି ନାହାନ୍ତି, ଏକଥା ବୋଧହୁଏ ସେ ଜାଣିନାହିଁ । ସତରେ ଦଇବ କେଡ଼େ ନିଷ୍ଠୁର । କୁନିଛୁଆଟି ତା’ର ଭୂକମ୍ପ କ୍ଷତିଗ୍ରସ୍ତ ଘର ଆଗରେ ଚିନ୍ତାଶୂନ୍ୟ ଭାବେ ଠିଆ ହୋଇଥିବା ଦେଖାଯାଉଛି ।

ତେବେ ଉକ୍ତ କୁନି ଛୁଆଟିର ବୟସ ତିନି ହେବ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ କୁନି ଛୁଆର ପରିବାର ବର୍ଗଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି । ମାତ୍ର ସେମାନେ ବୋଧହୁଏ ଅଫେରା ରାଇଜରୁ ଆଉ କେବେ ବି ଫେରିବେ ନାହିଁ । ଆଫଗାନିସ୍ତାନ ଭୂକମ୍ପରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି ।

Get real time updates directly on you device, subscribe now.