fbpx

ଦିଲ୍ଲୀରୁ ୪ ଜଣ ସାଂସଦଙ୍କ ଟିକଟ ବାତିଲ, ନୂତନ ଚେହେରାଙ୍କୁ ସୁଯୋଗ, ବିଜେପିର ରଣନୀତି ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୌତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଶନିବାର ଭାରତୀୟ ଜନତା ପାର୍ଟି(ବିଜେପି)ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ପ୍ରଥମ ତାଲିକାରେ ମୋଟ୍ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ବିଜେପି ଏହାର ୩୩ ଜଣ ସାଂସଦଙ୍କ ଟିକଟ ବାତିଲ କରିଛି । ସେମାନଙ୍କ ସ୍ଥାନରେ ନୂତନ ଚେହେରାଙ୍କୁ ସୁଯୋଗ ଦିଆଯାଇଛି । ସେହିପରି ଦିଲ୍ଲୀରେ ବିଜେପି ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହାର ରଣନୀତିରେ ପରିବର୍ତ୍ତନ କରିଛି । ବିଜେପି ମନୋଜ ତିୱାରୀଙ୍କ ଉପରେ ବିଶ୍ୱାସ କରି ତାଙ୍କୁ ପୂର୍ବ ଦିଲ୍ଲୀରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଦୁଇ ଥର ସାଂସଦ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ହର୍ଷବର୍ଧନଙ୍କ ଟିକଟ ବାତିଲ କରି ଚାନ୍ଦିନୀ ଚୌକ ଲୋକସଭା ଆସନରୁ ପ୍ରବୀଣ ଖଣ୍ଡେଲୱାଲଙ୍କୁ ପ୍ରାର୍ଥୀ କରିଛନ୍ତି । ପଶ୍ଚିମ ଦିଲ୍ଲୀ ଆସନରେ ୨ ଥର ସାଂସଦ ପରବେଶ ସିଂହ ବର୍ମାଙ୍କ ବଦଳରେ କମଲଜିତ ଶହରାୱତଙ୍କୁ ଟିକଟ ଦିଆଯାଇଛି । ସେହିପରି ଦକ୍ଷିଣ ଦିଲ୍ଲୀରେ ରମେଶ ବିଘୁଡ଼ିଙ୍କ ବଦଳରେ ରାମବୀର ସିଂହ ବିଘୁଡ଼ିଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । ଭେଟେରାନ ନେତା ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଏହି ଆସନରେ ଥିବା ମୀନାକ୍ଷୀ ଲେଖିଙ୍କ ଟିକଟ ବାତିଲ କରିଛି ବିଜେପି । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ପରବେଶ ବର୍ମା, ରମେଶ ବିଘୁଡ଼ି, ମୀନାକ୍ଷୀ ଲେଖି ଏବଂ ହର୍ଷବର୍ଧନଙ୍କ ଟିକଟ ବାତିଲ କରି ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ତେବେ ଆସନ୍ତୁ ଜାଣିବା ଏହି ସଂସଦମାନଙ୍କ ଟିକଟ ବାତିଲ କରିବା ପଛରେ କ’ଣ ରହିଛି କାରଣ ।

– ସବୁଠାରୁ ବଡ଼ କାରଣ ହେଉଛି Anti-incumbency (ସତ୍ତା ବିରୋଧୀ ଭାବନା) ।

– ୨୦୨୫ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିିତ ହେବ । ତେଣୁ ବିଜେପି ସମ୍ମୁଖରେ କେଜରିୱାଲ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛନ୍ତି । ଏମିତିରେ ଅନୁମାନ କରାଯାଉଛି ଯେ ଯେଉଁ ସାଂସଦମାନଙ୍କ ଟିକଟ ବାତିଲ କରାଯାଇଛି ସେମାନଙ୍କୁ କେଜରୀୱାଲଙ୍କ ମୁକାବିଲା କରିବା ପାଇଁ ଗୁରୁଦାୟିତ୍ୱ ମିଳିପାରେ ।

– ପରବେଶ ବର୍ମା ଏବଂ ରମେଶ ବିଘୁଡ଼ିଙ୍କ ମଧ୍ୟରେ ଅନେକ ସମୟ ବିବାଦ ଦେଖାଦେଇଛି । ବେଳେ ବେଳେ ସେମାନଙ୍କ ବିବାଦୀୟ ବୟାନ ପାଇଁ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ତେଣୁ ସେମାନଙ୍କ ବଦଳରେ ନୂତନ ଚେହେରାଙ୍କୁ ସୁଯୋଗ ଦିଆଯାଇଛି ।

– ମହିଳା ପ୍ରାର୍ଥୀଙ୍କ ଉପରେ ବିଶ୍ୱାସ କରିବା ସହ ନୂତନ ଚେହେରା ଉପରେ ଗୁରୁତ୍ୱାରୋପ କରିଛି ବିଜେପି । ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ବିଜେପିର ଉଦ୍ଦେଶ୍ୟ । ଉଦାହରଣ ସ୍ୱରୂପ ଭେଟେରାନ ନେତା ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ତାଙ୍କ ବ୍ୟତୀତ କମଲଜିତ ଶହରାୱତ(ମହିଳା ପ୍ରାର୍ଥୀ) ଙ୍କ ଉପରେ ବିଜେପି ବିଶ୍ୱାସ ପ୍ରକଟ କରିଛି । କମଲଜିତ ଜଣେ ଜାଟ ହେବା ସହ ଦକ୍ଷିଣ ଏମସିଡିର ପୂର୍ବତନ ମେୟର ।

– ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜେପି ଜାତୀୟ ସନ୍ତଳନ ବଜାୟ ରଖିବା ପାଇଁ ଚେଷ୍ଟା କରିଛି । ଚୟନ ହୋଇଥିବା ପ୍ରାର୍ଥୀ ଗୁର୍ଜ୍ଜର, ଜାଟ, ବଣିକ(ବ୍ୟବସାୟୀ), ବ୍ରାହ୍ମଣ ସମ୍ପ୍ରଦାୟର ଅଟନ୍ତି ।

Get real time updates directly on you device, subscribe now.