fbpx

କୋର୍ଟ ବିବାହ ପାଇଁ ଆବେଦନ କଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ, ଜାଣନ୍ତୁ କ’ଣ ରହିଛି କାହାଣୀ

ଜଗତସିଂହପୁର (ଓଡ଼ିଶା ଭାସ୍କର) : ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଆଜି ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ବିବାଦ ଉପୁଜି ଥିବାବେଳେ ଆଜି ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ଜଗତସିଂହପୁର ସବ ରେଜିଷ୍ଟରଙ୍କ ଅଫିସରେ ପହଞ୍ଚି ରେଜେଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଛନ୍ତି ।

ଦିବଙ୍ଗତ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ଯୁବ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳିଗ୍ରାମେଶ୍ୱର ଅଞ୍ଚଳର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କୁ ଦୀର୍ଘ ଦିନ ହେବ ଭଲ ପାଇ ଆସୁଥିଲେ । ମାତ୍ର ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ସୋମାଲିକା ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଏହାକୁ ନେଇ ବିବାଦ ବଢିବାରୁ ବିଜୟ ଶଙ୍କରଙ୍କ ନାମରେ ସୋମାଲିକା ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାକୁ ନେଇ ଉଭୟ ପକ୍ଷ ତଥା ବିଜୟ ଶଙ୍କର ଓ ସୋମାଲିକା ସେମାନଙ୍କର ଓକିଲଙ୍କ ସହଯୋଗରେ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ପହଞ୍ଚି ବିବାହ ପାଇଁ ଆବେଦନ କରିଥିବା କହିଛନ୍ତି । ବିଜୟ ଶଙ୍କରଙ୍କ ମାଆଙ୍କ ଦେହ ଭଲ ନଥିବାରୁ ସେ କିଛି କହିବାକୁ ମନା କରିଥିବା ବେଳେ ବିବାହ ଆବେଦନକୁ ନେଇ ସୋମାଲିକା ଖୁସି ଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.