fbpx

ଟିଏମସି ନେତା ସାଓନୀ ଘୋଷଙ୍କୁ ମିଳିଲା ଜାମିନ, ବିପ୍ଳବ ଦେବଙ୍କ ରାଲିରେ ଲଗାଇଥିଲେ ‘ଖେଲା ହୋବେ’ ନାରା

କୋଲକାତା : ତ୍ରିପୁରାର ଏକ ସ୍ଥାନୀୟ ଅଦାଲତ ସୋମବାର ତୃଣମୂଳ କଂଗ୍ରେସର ଯୁବ ଶାଖା ନେତା ତଥା ଅଭିନେତ୍ରୀ ସାଓନୀ ଘୋଷଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଗୋଟିଏ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଜନସଭାରେ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗରେ ଘୋଷଙ୍କୁ ଗିରଫ କରାଯାଇଥିଲା।

ତ୍ରିପୁରାରେ ପୋଲିସ ଘୋଷଙ୍କ ଉପରେ ଲୋକଙ୍କ ମଧ୍ୟରେ ଶତ୍ରୁତା ବଢାଇବା, ହତ୍ୟା ଉଦ୍ୟମ, ଅପରାଧିକ ଧମକ ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ବ୍ୟତୀତ ବିପ୍ଳବ ଦେବଙ୍କ ରାଲିରେ ବାଧା ଦେବା ଆରୋପ ଲଗାଇଛି। ପୋଲିସ ଏହା ମଧ୍ୟ ଅଭିଯୋଗ କରିଛି, ଘୋଷ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଟିଏମସିର ‘ଖେଲା ହୋବେ’ ନାରା ଲଗାଇଥିଲେ। ଏହା ପରେ ତୁରନ୍ତ ସାଓନୀ ଘୋଷଙ୍କୁ ପୋଲିସ ଗିରଫ କରି ନେଇଥିଲା।

ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ସୁଷ୍ମିତା ଦେବ ଦାବି କରିଛନ୍ତି ଯେ, ହତ୍ୟା ଉଦ୍ୟମ ମାମଲାରେ ଘୋଷଙ୍କ ଗିରଫଦାରୀ ପଛର ଉଦ୍ଦେଶ୍ୟ ଅଭିଷେକ ବାନାର୍ଜୀଙ୍କ ରାଲି ଭଣ୍ଡୁର କରିବା ଥିଲା। ଉଲ୍ଲେଖନୀୟ ତ୍ରିପୁରାରେ ନଭେମ୍ବର ୨୫ରେ ମ୍ୟୁନିସିପାଲଟି ନିର୍ବାଚନ ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୀତି ହିଂସାର ରୂପ ନେଲାଣି। ନିକଟରେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଶନିବାର କହିଥିଲେ ଯେ, ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସମୟରେ ବିଜେପି କାର୍ଯ୍ୟକର୍ତ୍ତା ସେମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିଲେ।

Get real time updates directly on you device, subscribe now.