fbpx

ନିର୍ବାଚନ କମିଶନର ନିଯୁକ୍ତିରେ ହେବ ପରିବର୍ତ୍ତନ: ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ବିଲ୍ ଆଗତ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଏକ ୩ଜଣିଆ ସଦସ୍ୟ ବିଶିଷ୍ଟ କମିଟି ରହିଛି। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତା ଓ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ସଦସ୍ୟ ରହିଛନ୍ତି। ତେବେ ଏହି କମିଟିରୁ ପ୍ରଧାନ
ବିଚାରପତିଙ୍କୁ ବାଦ ଦେବା ପାଇଁ କେନ୍ଦ୍ର ସରକାର ଏକ ବିଲ୍ ଆଣିଛନ୍ତି। ଯଦି ଏହି ବିଲ୍ ପାସ୍ ହୁଏ, ତେବେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ।

ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ଜଣେ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ନିର୍ବାଚନକମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବେ। ହେଲେ ପ୍ରଧାନବିଚାରପତିଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି। ଗତ ମାର୍ଚ୍ଚ ମାସରେ ସୁପ୍ରିମ୍‌କୋର୍ଟର ଏକ ୫ଜଣିଆ ଖଣ୍ଡପୀଠ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡିତ ମାମଲାର ଶୁଣାଣି କରିଥିଲେ। ଏହାପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବଚାନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତିଙ୍କ ଦ୍ୱାରା ଗଠିତ କମିଟି ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ରାୟ ଶୁଣାଇଥିଲେ। ତେବେ କେନ୍ଦ୍ର ସରକାର ଏହି ବିଲ୍ ମାଧ୍ୟମରେ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଉକ୍ତ ବିଲ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଏହି କମିଟିରେ ଏକ ପଦ କୌଣସି କାରଣରୁ ଖାଲି ଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ପାରିବ ନାହିଁ । ଏହି କମିଟି ନିଜ ରାୟ ରାଷ୍ଟ୍ରପତିଙ୍କୁ ପଠାଇବେ ଓ ରାଷ୍ଟ୍ରପତି ଏହା ଉପରେ ମୋହର ମାରିବେ । ସୂଚନାଯୋଗ୍ୟ ଯେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଅବସର ଗ୍ରହଣ କରିବେ । ଏହପାରେ ଏହି କମିଟି ଉକ୍ତ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛି ନିଯୁକ୍ତି ଦେବେ । ତେବେ କେନ୍ଦ୍ର ସରକାରଙ୍କ ଏହି ବିଲ୍ ପାସ୍ ହେବା ପରେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତିରେ କେତେ ପରିମାଣର ସ୍ୱଚ୍ଛତା ରହିପାରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.