fbpx

ଆଜି “ମନ୍ନତ୍‌’କୁ ଫେରିବେ ‘ଆର୍ଯ୍ୟନ୍‌’, ଜେଲ୍‌ରେ ଦାଖଲ ହୋଇଛି ବେଲ୍ ଅର୍ଡର

ମୁମ୍ବାଇ, ୨୯ା୧୦:  ଆଜି ‘ମନ୍ନତ’କୁ ଫେରିବେ ଆର୍ଯ୍ୟନ୍। ଗତକାଲି ଜେଲ୍‌ରୁ ପୁଅ ଆର୍ଯ୍ୟନ୍‌ ଖାନ୍‌ ମୁକୁଳାଇବା ପାଇଁ  ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ବହୁ ପ୍ରୟାସ କରି ବଫଳ ହୋଇଥିଲେ । ଲିଗାଲ ଟିମ୍‌ର ପ୍ରୟାସ ଓ ଜୁହି ଚାୱଲାଙ୍କ ସ୍ୟୁରିଟି ଦାଖଲ ସତ୍ତେ୍ୱ ଗୋଟିଏ ରାତି ଆର୍ଯ୍ୟନଙ୍କୁ  ଜେଲରୁ କାଟିବାକୁ ପଡିଛି ।

ଶୁକ୍ରବାର ରାତି ଆର୍ଯ୍ୟନ୍‌ଙ୍କୁ ଜେଲ୍‌ରେ କାଟିଛନ୍ତିି । ଶନିବାର ସେ ମନ୍ନତ୍‌କୁ ଫେରିବେ ବୋଲି ଜଣାପଡ଼ିଛି । ଗୁରୁବାର ବମ୍ବେ ହାଇକୋର୍ଟ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ମୋହର ମାରିଥିଲେ । କିନ୍ତୁ ଶୁକ୍ରବାର ମଧ୍ୟାହ୍ନ ସମୟରେ ହିଁ କୋର୍ଟ ଜାମିନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାପରେ ଏନଡିିଏସ୍‌ କୋର୍ଟରେ ପେପର କାମ କରାଯାଇଥିଲା । ରିଲିଜ୍‌ ଅର୍ଡର ବାହାରିବା ପରେ ଆର୍ଯ୍ୟନଙ୍କ ଲିଗାଲ ଟିମ୍‌ ଆର୍ଥର ଜେଲକୁ ଯାଇଥିଲେ । ହେଲେ ସେତେବେଳକୁ ସନ୍ଧ୍ୟା ୫.୩୦ର ଧାର୍ଯ୍ୟ ସମୟ ଅତିକ୍ରମ କରି ସାରିଥିଲା । ଜେଲ୍‌ କର୍ତ୍ତୃକ୍ଷଙ୍କ ନିକଟରେ ଆର୍ଯ୍ୟନଙ୍କ ରିଲିଜ୍‌ ଅର୍ଡର ଶୁକ୍ରବାର ଦାଖଲ କରାଯାଇଛି । ହେଲେ ସେ ଶନିବାର ହିଁ ଜେଲରୁ ବାହାରିବେ । ତାଙ୍କ ସହ ବନ୍ଧୁ ଅରବାଜ ଓ ମୁନ୍‌ମୁନ୍‌ ଧମେଚା ମଧ୍ୟ ଶୁକ୍ରବାର ରାତି ଜେଲ୍‌ରେ କାଟିଛନ୍ତି ।

ନିୟମ ଅନୁସାରେ, ହାଇକୋର୍ଟରୁ ଜାମିନ ମିଳିବା ପରେ ଜଣେ ଅଭିଯୁକ୍ତ ଏହାକୁ ତଳ କୋର୍ଟରେ ଦାଖଲ କରିବେ । ଏହାପରେ ତଳ କୋର୍ଟ ସ୍ୟୁରିଟି ବଣ୍ଡ୍‌ ଗ୍ରହଣ କରି ରିଲିଜ ଅର୍ଡର ଜାରି କରିବେ । ଆର୍ଯ୍ୟନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଥିଲା । ହାଇକୋର୍ଟରୁ ନିର୍ଦ୍ଦେଶନାମା ଜାରି କରିବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଏହାକୁ ନେଇ ଏନଡିପିଏସ୍‌ କୋର୍ଟରେ ହାଜର ହୋଇଥିଲେ । ସେଠାରେ ଶାହରୁଖଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଥିବା ଜୁହି ଚାୱଲା ୧ ଲକ୍ଷ ଟଙ୍କାର ସ୍ୟୁରିଟି ବଣ୍ଡ୍‌ ଦାଖଲ କରିଥିଲେ । ତେବେ ସ୍ୟୁରିଟି ଦାଖଲ ବେଳେ ଜୁହି ନିଜର ଦୁଇଟି ପାସପୋର୍ଟ ସାଇଜ ଫଟୋ ଦେବାକୁ ଭୁଲି ଯାଇଥିଲେ । ପରେ ଜୁହି ତାଙ୍କ ବ୍ୟାଗ ଖୋଜିଥିଲେ ମଧ୍ୟ ପାସପୋର୍ଟ ସାଇଜ ଫଟୋ ହଠାତ୍‌ ପାଇ ନଥିଲେ । ତେଣୁ ଆର୍ଯ୍ୟନ୍‌ ଜେଲ୍‌ରୁ ମୁକ୍ତ ହେବାରେ ବିଳମ୍ବ ହୋଇଛି ବୋଲି ଜଣାପଡ଼ିଛି ।

ଅନ୍ୟପଟେ ମେଗାଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କୁ ଜେଲରୁ ଖଲାସ କରିବାକୁ ବମ୍ବେ ହାଇକୋର୍ଟ ୫ ପୃଷ୍ଠାର ବେଲ ଅର୍ଡର ଜାରି କରିଛନ୍ତି । ଶୁକ୍ରବାର ଏନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି ହୋଇଛି । କୋର୍ଟ ଜାମିନ ପାଇଁ ଆର୍ଯ୍ୟନ ଓ ମୁମ୍ବାଇ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ପାଇଁ ୧୪ଟି ସର୍ତ୍ତ ଲାଗୁ କରିଛନ୍ତି ।ଏଥିରେ ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତମାନେ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇ ପାରିବେ ନାହିଁ ଓ ପ୍ରତି ଶୁକ୍ରବାର ଏନ୍‌ସିବି ଅଫିସରେ ହାଜିରା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାମିନ୍‌ ପାଇଁ ସମସ୍ତ ୩ ଅଭିଯୁକ୍ତ ୧ ଲକ୍ଷ ଟଙ୍କାର ବଣ୍ଡ୍‌ ଓ ନିଜର ପାସପୋର୍ଟ ଏନ୍‌ଡି ପିଏସ୍‌ କୋର୍ଟରେ ଦାଖଲ କରିବେ । ଅଭିଯୁକ୍ତମାନେ ଘଟଣା ସମ୍ପର୍କରେ କୌଣସି ପ୍ରକାରର ବୟାନ ସୋଶାଲ ମିଡିଆ କିମ୍ବା ମିଡିଆ ଆଗାରେ ଦେବେ ନାହିଁ । ଘଟଣାର ସହ ଅଭିଯୁକ୍ତମାନଙ୍କ ସହ ସେମାନେ ଯୋଗାଯୋଗ କରିବେ ନାହିଁ ।

ଅଭିଯୁକ୍ତମାନେ ମୁମ୍ବାଇର ଏନ୍‌ସିବି ଅଫିସରେ ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ହାଜର ହେବେ । ଶୁଣାଣି ଆରମ୍ଭ ହେବା ମାତ୍ରେ ଅଭିଯୁକ୍ତମାନେ ଏହାକୁ ବିଳମ୍ବିତ କରିବା ପାଇଁ କୌଣସି ପ୍ରକାରର ବାହାନା କରିବେ ନାହିଁ । ଏନସିବି ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ଯେଉଁ ଦିନ ଓ ଯେଉଁ ସମୟରେ ଡାକିବ, ସେମାନେ ବ୍ୟକ୍ତିଗତ ଭାବେ ହାଜର ହେବେ । ଅଭିଯୁକ୍ତମାନେ ବର୍ତ୍ତମାନ ଘଟାଇଥିବା କାଣ୍ଡରେ ପୁଣିଥରେ ସାମିଲ ହେବନାହିଁ । ଅଭିଯୁକ୍ତମାନେ ନିଜେ କିମ୍ବା କାହା ଦ୍ୱାରା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ ନାହିଁ । ଅଭିଯୁକ୍ତମାନେ ଏମିତି କିଛି କାମ କରିବେ ନାହିଁ, ଯାହା ଦ୍ୱାରା ଶୁଣାଣି ପ୍ରଭାବିତ ହେବ । ଯଦି ଉପରୋକ୍ତ ସର୍ତ୍ତଗୁଡ଼ିକ ଅଭିଯୁକ୍ତମାନେ ଖିଲାପ କରିବେ, ତା’ହେଲେ ଏନ୍‌ସିବି ସ୍ୱତନ୍ତ୍ର ବିଚାରପତି କିମ୍ବା କୋର୍ଟ ଜାମିନ ଖାରଜ କରିାରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।

Get real time updates directly on you device, subscribe now.