fbpx

ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ଯାତ୍ରା ଆରମ୍ଭ କରି ହାୱଡା ପର୍ଯ୍ୟନ୍ତ ଯାତ୍ରା କରିବ ଓଡିଶାର ଏହି ବନ୍ଦେ ଭାରତ ଏକ୍ସପ୍ରେସ । ତେବେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀଲାଲ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ଗତକାଲି ଓଡିଶାରେ ପହଞ୍ଚିଛନ୍ତି ରାଜ୍ୟପାଳ । ତେବେ ପୁରୀ-ହାୱଡା ଯାତ୍ରା ପାଇଁ ସାଢେ ୬ ଘଣ୍ଟା ସମୟ ନେବ ବନ୍ଦେ ଭାରତ ଏକ୍ସପ୍ରେସ ।

ସୂଚନା ଥାଉ କି, ଗତ ୨୮ ତାରିଖରେ ଓଡିଶାରେ ହାୱଡା-ପୁରୀ ପର୍ୟ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଲ ରନ୍ କରାଯାଇଥିଲା । ସକାଳ ୬.୧୦ରେ ହାୱଡାରୁ ବାହାରି ପୁରୀ ଯାତ୍ରା କରିଥିଲା । ତେବେ ଏହି ରୁଟରେ ଖଡଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ଅଟକିଥିଲା ଏହି ଏକ୍ସପ୍ରେସ । ସେହିପରି ଭୁବନେଶ୍ୱର ଏବଂ ପୁରୀରେ ମଧ୍ୟ ୨ ମିନିଟ ଲେଖାଏଁ ଟ୍ରେନ ରହିଥିଲା । ତେବେ ପୁରୀରେ କିଛି ସମୟ ରହି ପୁଣିଥରେ ହାୱଡାକୁ ଫେରିଥିଲା ଏହି ବନ୍ଦେ ଭାରତ ଏକ୍ସପ୍ରେସ । ଯାହାକୁ ନେଇ ବର୍ତ୍ତମାନ ଓଡିଶାବାସୀ ବେଶ ଉତ୍ସାହ ଥିବା ଦେଖାଯାଇଛି ।

Get real time updates directly on you device, subscribe now.