fbpx

ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମହତ୍ୱ

ଓଡ଼ିଶା ଭାସ୍କର: ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଭିନ୍ନ । ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ପଣାରେ ମହକୁଛି ପଲ୍ଲୀରୁ ସହର । ଆଜି ପବିତ୍ର ପଣା ସଂକ୍ରାନ୍ତି । ଚଳଚଞ୍ଚଳ ପ୍ରତି ଓଡ଼ିଆ ଘର । ଏହି ଦିନକୁ ଓଡ଼ିଆ ନବବର୍ଷ ସହ ମହାବୀର ବଜରଙ୍ଗବଲି ହନୁମାନଙ୍କ ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଏ । ପଣା ସଂକ୍ରାନ୍ତିଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ । ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି ଏହି ଦିନଟିକୁ। ଏହି ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି । ଏହିଦିନଠାରୁ ୧ ମାସ ପର୍ଯ୍ୟନ୍ତ  ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି ।

ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ । ତେଣୁ ଏହି ଦିନ ଓଡ଼ିଆ ନବ ବର୍ଷ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକ ଓଡ଼ିଆ ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ । ପଣା ସଂକ୍ରାନ୍ତି ଅବସରରେ ଏକ ମାଟି ମାଠିଆରେ ଛୋଟ କଣା କରାଯାଇ ସେଥିରେ ପଣା ରଖାଯାଏ। ଏହି ପଣା ମାଠିଆକୁ ତୁଳସୀ ଚଉରା ଉପରେ ବନ୍ଧାଯାଏ। ମାଠିଆଟିକୁ ଏପରି ଭାବେ ବନ୍ଧା ଯାଏ ଯେମିତି ଟୋପାଏ ଟୋପାଏ ପଣା ତୁଳସୀ ଗଛ ଉପରେ ପଡ଼ିବ। ତେଣୁ ଅନେକ ସ୍ଥାନରେ ଏହି ସଂକ୍ରାନ୍ତିକୁ ଜଳ ସଂକ୍ରାନ୍ତି ଏବଂ ଠେକି ବାସ ସଂକ୍ରାନ୍ତି ମଧ୍ୟ କହିଥାନ୍ତି । ବେଲ ପଣାକୁ ସୁସ୍ୱାଦୁ କରିବା ପାଇଁ ଏଥିରେ ଦହି, ଛେନା, ଗୁଡ଼, ଚିନି, ନଡ଼ିଆ, କଦଳୀ, କାଜୁ, କିସମିସ୍ ଇତ୍ୟାଦି ମିଶାଯାଏ । ପ୍ରଥମେ ଏହି ବେଲ ପଣା ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ପରେ ପରିବାରର ସମସ୍ତଙ୍କ ମଧ୍ୟରେ ବଣ୍ଟା ହୁଏ । ଏହି ଦିନରୁ ଗ୍ରୀଷ୍ମ ଋତୁର ଆଗମନ ହେଉଥିବାରୁ ମାତା ବୃନ୍ଦାବତୀଙ୍କୁ ଗ୍ରୀଷ୍ମ ପ୍ରଭାବରୁ ରକ୍ଷା କରିବା ପାଇଁ ଚଉଁରା ଉପରେ ଜଳ ଠେକି ବନ୍ଧା ହୁଏ ।

କେବଳ ଏତିକି ନୁହେଁ ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ଥାନ୍ତି । ଏହିଦିନ ଜଳବାୟୁରେ ପରିବର୍ତ୍ତନ ହୋଇଥାଏ । ଆଜି ଦିନର ବୈଜ୍ଞାନିକ ଦୃଷ୍ଟି କୋଣ ମଧ୍ୟ ରହିଛି । ଏହି ମାସରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବଢିଥାଏ । ଅତ୍ୟଧିକ ଖରାରୁ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦିନରେ ପଣା ପାନ କରାଯାଏ ।

Get real time updates directly on you device, subscribe now.