ଆଜି ଜାତୀୟ ପ୍ରେସ୍ ଦିବସ । ୧୯୬୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ ଗଠନ କରିଥିଲେ । ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ପ୍ରେସ୍ କାଉନ୍ସିଲ ହେଉଛି ସମ୍ବାଦପତ୍ର ମାନଙ୍କର ନୈତିକ ପ୍ରହରୀ । ସମ୍ବାଦପତ୍ର ମାନଙ୍କର କାମ ଉପରେ ନଜର ରଖିବା ସହିତ ଆବଶ୍ୟକ ପଡିଲେ ପରାମର୍ଶ, ସମୀକ୍ଷା ଏବଂ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରି ନୈତିକ ଯାଞ୍ଚ କର୍ତ୍ତାଭାବେ ପ୍ରେସ୍ କାଉନ୍ସିଲ କାମ କରୁଛି । ପ୍ରେସ୍ର ସ୍ୱାଧୀନତାକୁ ବଜାୟ ରଖିବା ଦିଗରେ ମଧ୍ୟ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ କାମ କରୁଛି ।
ଜାତୀୟ ପ୍ରେସ୍ ଦିବସ ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ଭୁବନେଶ୍ୱର ଜୟଦେବ ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥିରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥିଭାବରେ ଯୋଗଦେବେ । ତାଙ୍କ ସହ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ସେହିଭଳି ଗଣମାଧ୍ୟମର ପରିବର୍ତ୍ତିତ ରୂପରେଖ ଶୀର୍ଷକ କର୍ମଶାଳାର ଆୟୋଜନ ହେବ । ଏଥିରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନାମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେବେ ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀର ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଯୋଗଦେବେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରେସ୍ ଦିବସ ପାଳନ କରାଯିବ । ଏଥିରେ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେବେ । ଏହାସହ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
ପ୍ରେସ କାଉନସିଲ ଅଫ ଇଣ୍ଡିଆର ଇତିହାସ ବିଷୟରେ ଯଦି କହିବା ତାହାଲ ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ବାଧିନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା ହୋଇଥିଲା । ତେବେ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।
୧୯୫୬ ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ପାଇଁ ସୁପାରିଶ କରି ପ୍ରଥମ ପ୍ରେସ କମିଶନ ସିଦ୍ଧାନ୍ତ ନେଇଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ବୃତ୍ତିଗତ ନୈତିକତା ବଜାୟ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଆଇନଗତ ପ୍ରାଧିକରଣ ସହିତ ଏକ ସଂସ୍ଥା ସୃଷ୍ଟି କରିବା । ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ୧୯୬୬ ମସିହାରେ ପ୍ରେସ କାଉନସିଲ ଅଧିନିୟମ ଅନୁଯାୟୀ ଗଠିତ ହୋଇଥିଲା। ଜଷ୍ଟିସ ଚନ୍ଦ୍ରମାଉଲି କୁମାର ପ୍ରସାଦ ଭାରତର ପ୍ରେସ କାଉନସିଲର ବର୍ତ୍ତମାନର ଚେୟାରମ୍ୟାନ୍ ଅଛନ୍ତି । ତାଙ୍କୁ ଦ୍ୱିତୀୟ ଥର ପାଇଁ ଏହି ପଦରେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଆଜି ଜାତୀୟ ପ୍ରେସ ଦିବସରେ ଭାରତର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବ୍ୟକ୍ତି ଟୁଇଟ କରି ଜାତୀୟ ପ୍ରେସ ଦିବସ ଶୁଭେଚ୍ଛା ଜଣାଇଛନ୍ତି ।