ଆଜି ବିଶ୍ୱ ପରିବେଶ ଦିବସ, ହେଲେ ସବୁଠି ପ୍ଲାଷ୍ଟିକର ହାହାକାର

ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍ କ'ଣ ରହିଛି?

ଭୁବନେଶ୍ୱର:  ଅନିୟମିତ ଋତୁଚକ୍ର ସାବଧାନ ହେବାକୁ ଇସାରା ଦେଲାଣି। ଅସହ୍ୟ ତାତିରେ ମଣିଷ କଲବଲ ହେଲାଣି। ଭଲ ପାଣି ମୁନ୍ଦେ ପାଇଁ ଚିନ୍ତା ଘାରିଲାଣି। ପରିବେଶବିତମାନେ ସତର୍କ ବାଣୀ କଲେଣି।

ଏବେଠୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ନ ହେଲେ ପରିବେଶ ବିଗିଡ଼ିଯିବ। ତଥାପି ମାନବ ସମାଜ ପରିବେଶ ମନସ୍କ ହୋଇପାରିନି। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ।

ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ।

ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ।

ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି। ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। ପରିବେଶ କ୍ରମାଗତ ଭାବରେ ଦୂଷିତ ହେଉଛି, ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ। ୧୯୭୨ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି।

ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା। ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ। ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍‌ ରହିଥାଏ।  ଏ ବର୍ଷ ଏହି ଦିସବର ଥିମ୍‌ ରହିଛି “ପ୍ଲାଷ୍ଟିକ୍ ପ୍ରଦୂଷଣକୁ ମୂଳରୁ ନାଶ କରିବା”।