fbpx

ଆଜି ନବଯୌବନ ଦର୍ଶନ ଦେବେ ଶ୍ରୀଜୀଉ, ମହାପ୍ରଭୁଙ୍କ ଦେଖିବା ପାଇଁ ଭକ୍ତଙ୍କ ମନରେ ଉତ୍ସାହ : ସକାଳ ୮ଟାରୁ ୯ଟା ଯାଏ ପରମାଣିକ ଦର୍ଶନ

ପୁରୀ, (ଭାସ୍କର ନ୍ୟୁଜ୍‌) : ଆଉ ମାତ୍ର  ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିନେଇ ପ୍ରସ୍ତୁତି ପର୍ବ ଜୋର୍ ଧରିଥିବା ବେଳେ ଆଜି  ମହାପ୍ରଭୁଙ୍କ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ ହେବ । ଏଥି ପାଇଁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି । ବୁଧବାର ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ଏକ ଘଣ୍ଟା ପରମାଣିକ ଦର୍ଶନ ଚାଲୁ ରହିବ । ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନର ବ୍ୟବସ୍ଥା କରାଯାଇଛି । ତେବେ ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ଟାରୁ ଦିନ ୨ଟା , ୩ଟାରୁ ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।

ସେହିପରି ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ । ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଏଥର ଭକ୍ତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିାରିବେ । ଏଥିୂର୍ବରୁ ଶ୍ରୀଜୀଉଙ୍କ ବନକଲାଗି ନୀତି କରାଯିବା ସହ ଚନ୍ଦନଲାଗି ମଧ୍ୟ ଚାଲୁ ରହିଛି । ସେହିରି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ୩ ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥମାନଙ୍କୁ ମେଣ୍ଡି କଢ଼ାଯିବା ପରେ ୩ ପାଶ୍ୱର୍ରେ ୨୭ଗୋଟି ଶିଖର ଡମ୍ବରୁ ଲଗାଯିବା ପରେ ପାଶ୍ୱର୍ ଦେବାଦେବୀଙ୍କୁ ସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ହେବ ମହାପ୍ରଭୁ ସ୍ନାନପୂର୍ଣ୍ଣିମା ଠାରୁ ଜ୍ୱରରେ ପଡ଼ିଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖାନଥିଲା । ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଜମାଉଥିଲେ । ଏବେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଉ ମାତ୍ର କେତେ ଘଣ୍ଟା ପରେ ନବଯୌବନ ବେଶରେ ଶ୍ରୀଜୀଉ ଦର୍ଶନ ଦେବାକୁ ଯାଉଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ବଡ଼ଦାଣ୍ଡ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି ।

Get real time updates directly on you device, subscribe now.