ଆଜି ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେହି କାରଣରୁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା ଅନୁସାରେ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହା ଏକ ଗୁପ୍ତ ନୀତି ହୋଇଥିବା ବେଳେ ଦ୍ୱିପ୍ରହର ଧୂପ ସମାପ୍ତ ହେବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି ।

ବନକ ଲାଗି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ପାଖାପାଖି ୪ ଘଣ୍ଟା ସମୟ ଲାଗିଥାଏ ଓ ଏହି ସମୟରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥାଏ । ତିନି ଦାରୁମୂର୍ତ୍ତିଙ୍କ ମୁଖ ମୁଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକ ଲାଗି ନୀତି କୁହାଯାଇଥାଏ । ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ରହିଥିବା ବେଳେ ସେମାନଙ୍କୁ ଦତ୍ତ ମହାପାତ୍ର କୁହାଯାଇଥାଏ । ସେମାନେ ଶ୍ରୀମୁଖ ଶୃଙ୍ଗାର ପାଇଁ ରଙ୍ଗ ପ୍ରସ୍ତୁତ କରିବା ସହିତ ବିଗ୍ରହରେ ତାହାକୁ ଲଗାଇଥାନ୍ତି । ସେହି ରଙ୍ଗ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥରେ ତିଆରି ହୋଇଥାଏ । ବଜାରରେ ଉପଲବ୍ଧ ହେଉଥିବା ରଙ୍ଗ ବନକ ଲାଗିରେ ବ୍ୟବହୃତ ହୋଇନଥାଏ । ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ ରଙ୍ଗଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ଭିତର ବେଢ଼ାର ଉତ୍ତମ ପଟେ ରହିଥିବା କୋଠରୀକୁ ବନକ ଲାଗି ଘର କୁହାଯାଏ ।

Get real time updates directly on you device, subscribe now.