fbpx
BSKY
BJD SHG SKY
BJD YOUTH SKY

ବନ୍ୟା Breaking! ଗୁରୁତ୍ୱପୂର୍ଣ୍ଣ ଆଜିର ଏହି ରାତି: ବନ୍ୟା ସ୍ଥିତିକୁ ନେଇ SRCଙ୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନ ଏବେ ବନ୍ୟାଜଳରେ ଉବୁଟୁବୁ ହେଉଥିବା ବେଳେ ଏବେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି ଏସଆରସି । ଆଜି ରାତିକୁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । କିଛି ସ୍ଥାନରେ ବନ୍ୟାର ପ୍ରକୋପ ଧିରେ ଧିରେ ଶାନ୍ତ ହେଉଥିବା ଦେଖାଯାଇଛି । ରାଜ୍ୟର ୪ଟି ଜିଲ୍ଲାରେ ପିକ ଫ୍ଲଡ ଏବେ ତଳମୁହାଁ ହୋଇଛି । ନଦୀଗୁଡିକର ଜଳସ୍ତର କମୁଥିବା ଲକ୍ଷ୍ୟ କରାଯାଉଛି, ଯାହା ଫଳରେ ବନ୍ୟା ଆଶଙ୍କା ମଧ୍ୟ ହ୍ରାସ ପାଉଛି ।

ଏସଆରସିଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁରରେ ପିକ ଫ୍ଲଡ କମିଥିବା ବେଳେ କଟକ ଏବଂ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ମଧ୍ୟ ପିକ ଫ୍ଲଡ ନିମ୍ନଗାମୀ ହେଉଛି । ତେବେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା । ତେବେ ଘଳିଆ ପଡିଥିବା ସ୍ଥାନକୁ ଏବେ ମରାମତି କାର୍ଯ୍ୟ ଜାରି ରହିଛି । ଏହାସହ ଆସନ୍ତାକାଲି ସକାଳ ସୁଦ୍ଧା ନଦୀର ଜଳସ୍ତର ହ୍ରାସ ପାଇବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ସେପଟେ ଘାଇ ଭାଙ୍ଗିଯିବାରୁ ୪୨୫ଟି ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏଥିସହ ୪ ଲକ୍ଷ ୭୭ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏପର୍ଯ୍ୟନ୍ତ ୧୯୭ଟି ଘଳିଆକୁ ବନ୍ଦ କରି ରଖାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ଆଗାମୀ ୩ ଦିନ ପାଣି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ପ୍ରଭାବିତ ଅଞ୍ଚଳକୁ ପିଇବା ପାଣି ସହ ରନ୍ଧାଖାଦ୍ୟ ପଠାଯାଇଥିବା ବେଳେ ଆବଶ୍ୟକତା ଦେଖି ପଲିଥିନ ମଧ୍ୟ ଯୋଗାଇ ଦିଆଯିବ ।

ହୀରାକୁଦରେ ଏବେ ବି ୪୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ତେବେ କାଲି ସୁଦ୍ଧା ଏହାର ଜଳସ୍ତର ୬୨୫ରୁ କମ୍ ହୋଇପାରେ । ଏହାପରେ ବର୍ଷାଜଳ ଏବଂ ବନ୍ୟାଳର ସ୍ଥିତିକୁ ଲକ୍ଷ୍ୟ କରାଯାଇ ଗେଟ୍ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସମିଟ ଜରିଆରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

Get real time updates directly on you device, subscribe now.