fbpx

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ: ୩୧ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Advertisement

ନୂଆଦିଲ୍ଲୀ: ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ ସମସ୍ତଙ୍କର ନଜର ଭାରତ ଉପରେ ରହିଛି। ଅନ୍ୟପଟେ ଚଳିତ ବିଶ୍ୱକପର ପରାଜୟକୁ ନେଇ ଆଜି ବି ଭାରତୀୟଙ୍କ ମନରେ କଷ୍ଟ ଭରି ରହିଛି । ତେବେ ଏହି ଏହି ଦୁଃଖକୁ ସାମାନ୍ୟ ଦୂର କରିବା ପାଇଁ ଭାରତୀୟ ଦଳ ପାଖରେ ଏକ ବଡ଼ ସୁଯୋଗ ରହିଛି। ଯଦି ଆଫ୍ରିକାରେ ଭାରତୀୟ ଦଳର ବିଜୟ ହୁଏ ତେବେ ୩୧ ବର୍ଷର ରେକର୍ଡ ଭାଙ୍ଗିବ ଭାରତ। ଫଳରେ ବିଶ୍ୱକପ ପରାଜୟର ଦୁଃଖ ଲାଘବ ହେବ। ଏଣୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ।

ତେବେ ମ୍ୟାଚ୍‌ର ସବୁ କିଛି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ନିର୍ଭର କରୁଛି। ଏହି ଦୁଇ ବରିଷ୍ଠ ଖେଳାଳି ମ୍ୟାଚ୍‌କୁ କେମିତି ପରିଚାଳନା କରୁଛନ୍ତି, ତାହା ଭାରତର ଇନିଂସକୁ ନିର୍ଦ୍ଧାରଣ କରିବ। ସେହିପରି ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ନବାଗତ ମୁକେଶ କୁମାର କେମିତି ପ୍ରଦର୍ଶନ କରୁଛନ୍ତି, ତାହା ମଧ୍ୟ ଦେଖିବାକୁ ବାକି ରହିଛି। ପିଚ୍‌ରେ ଅତିରିକ୍ତ ବାଉନ୍ସ ରହିବ। ତେଣୁ ମୁକେଶ କୁମାରଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଭଲ ବିକଳ୍ପ ହୋଇପାରନ୍ତି। କେଏଲ ରାହୁଲ ପ୍ରଥମ ଟେଷ୍ଟରେ ୱିକେଟ କିପିଂ କରିବେ। ଏକଥା ଡ୍ରାଭିଡ ସ୍ପଷ୍ଟ କରି ସାରିଛନ୍ତି। ଏହାର ଅର୍ଥ ରାହୁଲ ୬ନଂରେ ଓ ଆୟର ୫ନଂରେ ବ୍ୟାଟିଂ କରିବେ। ଗିଲ ଓପନ କରିବେ ନା ରୋହିତ ଓ ଜୈସୱାଲ ଇନିଂସ ଆରମ୍ଭ କରିବେ, ତା’ହା ମଧ୍ୟ ବଡ଼ ପ୍ରଶ୍ନ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଖରେ ବଭୂମାଙ୍କ ସହ ଡିନ ଏଲଗର, ଷ୍ଟାଇଲିଶ ଏଡେନ ମାର୍କରମ, ଯୁବ ତାରକା ଟୋନୀ ଡେ ଜୋରଜି ଓ କୀଗାନ ପିଟରସନ ପ୍ରମୁଖ ରହିଛନ୍ତି। ସେମାନେ ଭାରତୀୟ ବୋଲରଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜ ସୃଷ୍ଟି କରିବେ। ତେବେ ସୁପର ସ୍ପୋର୍ଟ ପାର୍କରେ ଖେଳା ଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦୁଇ ଦିନରେ ପ୍ରବଳ ବର୍ଷା ଆଶଙ୍କା ମଧ୍ୟ ରହିଛି ଏଣୁ ଏହାର ପ୍ରଭାବ ଭାରତୀୟ ଦଳ ଉପରେ ପଡିପାରେ।

ସୂଚନା ଥାଉକି, ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ଏମଏସ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅବଶ୍ୟ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ ଜିତିଛି। କିନ୍ତୁ ଭାରତକୁ ସିରିଜ ବିଜୟର ସଫଳତା ମିଳିନି। ଅଧିନାୟକ ଭାବରେ ସଚିନ୍‌ ତେନ୍ଦୁଲକର(୧୯୯୬) ଓ ମହମ୍ମଦ ଆଝାରୁଦ୍ଦିନ ଗୋଟିଏ ବି ବିଜୟ ହାସଲ କରିପାରି ନ ଥିଲେ। ଅନ୍ୟ ପକ୍ଷରେ ସୌରଭ ଗାଙ୍ଗୁଲି(୨୦୦୧), ରାହୁଲ ଡ୍ରାଭିଡ୍‌(୨୦୦୬-୦୭), ମହେନ୍ଦ୍ର ସିଂ ଧୋନୀ (୨୦୧୦-୧୧), (୨୦୧୩-୧୪) ଏବଂ ବିରାଟ କୋହଲି(୨୦୧୮-୧୯) ଓ (୨୦୨୧-୨୨)ରେ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଥିଲେ ହେଁ ସିରିଜ୍‌ ବିଜୟରେ ସମର୍ଥ ହୋଇ ନ ଥିଲେ। ତେବେ ରୋହିତ ଶର୍ମା ଏହି ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବେ ।

 

Get real time updates directly on you device, subscribe now.