fbpx

ଟମାଟୋ ଲଗାଇଲା କଳି; ଘର ଛାଡି କେଉଁଆଡେ ଚାଲିଗଲେ ପତ୍ନୀ, ଥାନାରେ ନିଖୋଜ ରିପୋର୍ଟ ଲେଖାଇଲେ ପତି

ନୂଆଦିଲ୍ଲୀ: ଟମାଟୋର ଆକାଶଛୁଆଁ ଦରକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରୁ ଅଜବ ଘଟଣାମାନ ନଜରକୁ ଆସୁଛି । କେଉଁଠି ଟମାଟୋ ଚୋରି ହେଲାଣି ତ ଆଉ କେଉଁଠି ଟମାଟୋକୁ ବନ୍ଧୁକଧାରୀ ବାଉନ୍ସର ଜଗିଲେଣି । ଏହି କ୍ରମରେ ମଧ୍ୟପ୍ରଦେଶ ଶହଡୋଲରୁ ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି । ଏଠାରେ ଟମାଟୋ କାରଣରୁ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଏତେମାତ୍ରାରେ ବଢିଗଲା ଯେ ପତ୍ନୀ ରାଗରେ ଘର ଛାଡି ଚାଲିଗଲେ । ଏବେ ପତି-ପତ୍ନୀଙ୍କ ଏହି ବିବାଦ ମାମଲା ଯାଇ ପହଞ୍ଚିଛି ଥାନାରେ । ପତିଙ୍କ ଅଭିଯୋଗ ପରେ ପୋଲିସ ଏବେ ଦୁଇଜଣଙ୍କୁ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରୁଛି ।

ଘଟଣାଟି ହେଉଛି ଶହଡୋଲର ସଞ୍ଜୀବ ବର୍ମନ ନାମକ ଜଣେ ବ୍ୟକ୍ତି ଏଠାରେ ଟିଫିନ୍ ସେଣ୍ଟର ଚଲାନ୍ତି । ଖାଦ୍ୟ ପ୍ରସ୍ତୁତି ସମୟରେ ସଞ୍ଜୀବ ଯେତେବେଳେ ତରକାରୀରେ ଟମାଟୋ ପକାଇଦେଲେ ପତ୍ନୀ ଏହାକୁ ନେଇ ଭୀଷଣ ରାଗି ଯାଇଥିଲେ । କେବଳ ରାଗିଗଲେ ନାହିଁ ଝିଅକୁ ସାଥିରେ ଧରି ସେ ଘର ଛାଡି ଚାଲିଗଲେ । ପତି ପତ୍ନୀଙ୍କୁ ମନାଇବାକୁ ଖୁବ୍ ଚେଷ୍ଟା କଲେ ଓ ଟମାଟୋ ନ ଖାଇବାକୁ ରାଣ ବି ଖାଇଲେ । କିନ୍ତୁ ପତ୍ନୀଙ୍କ ରାଗ କୌଣସି ଥିରେ ବି ଆଦୌ କମିଲା ନାହିଁ ଓ ସେ ତୁରନ୍ତ ଝିଅକୁ ଧରି ଘର ଛାଡି କେଉଁଆଡେ ଚାଲିଗଲେ ।

ଏହି ଘଟଣାରେ ଚିନ୍ତିତ ହୋଇପଡି ପତି ପତ୍ନୀଙ୍କୁ ସନ୍ଧାନ କରିବା ଲାଗି ସ୍ଥାନୀୟ ପୋଲିସ ପାଖରେ ଯାଇ ପହଞ୍ଚି ଯାଇଥିଲେ ଓ ପତ୍ନୀ ନିଖୋଜ ବୋଲି ପୋଲିସରେ ରିପୋର୍ଟ ଲେଖାଇଥିଲେ । ଯେତେବେଳେ ପୋଲିସ ତାଙ୍କ ପତ୍ନୀଙ୍କ ମୋବାଇଲ୍ ନମ୍ବର ମାଗିଥିଲା ସେତେବେଳେ ସେ ଏହା ଉପଲବ୍ଧ କରାଇ ଦେଇଥିଲେ । ଏହାପରେ ପୋଲିସ ସେହି ନମ୍ବରରେ ଯୋଗାଯୋଗ କରିବାରୁ ଜଣାପଡିଥିଲା ସେ ନିଜ ଭଉଣୀ ଘର ଉମରିଆରେ ଅଛନ୍ତି । ଏହାପରେ ପୋଲିସ ସଞ୍ଜୀବଙ୍କର ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା କରାଇ ଦେଇଥିଲେ । ସଞ୍ଜୀବ ଏକ ଢାବା ଚଳାଇବା ସହ ଲୋକମାନଙ୍କୁ ଟିଫିନ୍ ସେବା ଉପଲବ୍ଧ କରାଇଥାନ୍ତି ।

Get real time updates directly on you device, subscribe now.