fbpx

ମାଗଣା ସିଭିଲ୍ ସର୍ଭିସ୍ କୋଚିଂ: ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ, ଆଶାୟୀମାନେ ସୁଯୋଗ ହାତଛଡ଼ା କରନ୍ତୁନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ସ୍ୱରୂପ ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ରେନିଂ ପ୍ରଦାନ କରାଯିବ । ଏଥିପାଇଁ ଗତବର୍ଷ ଡିସେମ୍ବର ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିସହିତ ଗତ ଫେବୃଆରୀ ମାସରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ । ଏନେଇ ଫେବୃଆରୀ ମାସ ୧୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଆଜି ମାର୍ଚ୍ଚ ୩ ତାରିଖ ହୋଇଥିବା ବେଳେ ସିଭିଲ୍ ସର୍ଭିସ ଆଶାୟୀଙ୍କୁ ଆସନ୍ତାକାଲି ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଏହା ପରେ ମାର୍ଚ୍ଚ ୧୬ରେ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ୨ ଘଣ୍ଟା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ ।

ରାଜ୍ୟର ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ଆଦି ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପରିଚାଳନା କରିବ । ୨୦୨୩ ଅଗଷ୍ଟ ୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ରହିଥିବ ସେମାନେ ଏଥିରେ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ https://dhe.odisha.gov.in/ କିମ୍ବା https://www.samsodisha.gov.in/ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଯେଉଁମାନେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ମାଗଣାରେ ସିଭିଲ୍ ସର୍ଭିସ୍ କୋଚିଂ ପ୍ରଦାନ କରିବେ ।

Get real time updates directly on you device, subscribe now.