fbpx

ବିଚ୍ ରାସ୍ତାରେ ମହିଳାଙ୍କ ହାଇ ଭୋଲଟେଜ୍ ଡ୍ରାମା: ପୋଲିସକୁ କହିଲେ- ‘ହୋସରେ ରୁହ, ନହେଲେ ୟୁନିଫର୍ମ କାଢ଼ିଦେବି’, ସାମ୍ନାକୁ ଆସିଲା ଭିଡିଓ

ଉତ୍ତରପ୍ରଦେଶର ଲଖନଉରେ ଜଣେ ମହିଳା ବିଚ୍ ରାସ୍ତାରେ ହଙ୍ଗାମା କରିବା ଓ କ୍ୟାବ୍ ଡ୍ରାଇଭରକୁ ମାରପିଟ ପରେ ଦ୍ୱିତୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ହାଇ ଭୋଲଟେଜ ଡ୍ରାମା କରିବା ସହ ପୋଲିସକୁ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଉତ୍ତରପ୍ରଦେଶର ନୈନିତାଲରୁ ଆସିଛି, ଯେଉଁଠାରେ ବୁଲିବାକୁ ଆସିଥିବା ଜଣେ ମହିଳା ସେଠାକାର ଲେଡି ଏସଆଇଙ୍କ ସହ ଝଗଡା କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ମହିଳା ଏବଂ ତାଙ୍କ ସହଯୋଗୀମାନେ ମଧ୍ୟ ପୋଲିସ କର୍ମୀଙ୍କୁ ସେମାନଙ୍କ ୟୁନିଫର୍ମ କାଢ଼ି ଦେବାକୁ ଧମକ ଦେଇଥିଲେ ।

ତେବେ ନୈନିତାଲର ତଲ୍ଲିତାଲରେ ପୋଲିସ ନିୟମିତ ଯାଞ୍ଚ କରୁଥିଲା ଏବଂ ସେହିି ସମୟରେ ହିମାଚଳ ନମ୍ବରର ଏକ କାର ସେଠାରେ ପହଞ୍ଚିଥିଲା, ଯାହାର ଗ୍ଲାସରେ ବ୍ଲାକ ଫିଲ୍ମ ଲାଗିଥିଲା । ଏହା ପରେ ଡ୍ୟୁଟିରେ ଥିବା ଲେଡି ପୋଲିସ୍ ସବ୍-ଇନ୍ସପେକ୍ଟର ବା ଏସଆଇ ରାଜକୁମାରୀ ସିଙ୍ଘାନିଆ କାରକୁ ଅଟକାଇ ଏହାକୁ ହଟାଇବାକୁ କହିଥିଲେ । କିନ୍ତୁ ଏଥିରେ କାର ଡ୍ରାଇଭର କ୍ରୋଧିତ ହୋଇ ଲେଡି ପୋଲିସ୍ ସହ ପାଟିତୁଣ୍ଡ କରିବାରେ ଲାଗିଲା ।

ଏହି ସମୟରେ କାରରେ ଥିବା ଜଣେ ମହିଳା ପର୍ଯ୍ୟଟକ ପୋଲିସକୁ ଗାଳି କରିବା ସହ ମାରପିଟ୍ କରିବାକୁ ପ୍ରସ୍ତୁତ ହୋଇଥିଲେ । କାରରେ ବସିଥିବା ପର୍ଯ୍ୟଟକମାନେ ପୋଲିସ କର୍ମଚାରୀଙ୍କୁ ଅହଂକାରରେ ଆସି ଟଙ୍କା ନେଇ ଛାଡିଦେବାକୁ କହିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଘଟଣାର ଭିଡିଓ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ଗଣ୍ଡଗୋଳ ଦେଖି ସାହାର୍ଯ୍ୟ ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ମହିଳା ପର୍ଯ୍ୟଟକ ଜଣକ ଅସଦାଚରଣ କରିଥିଲେ ଓ ପୋଲିସକୁ ତାଙ୍କ ୟୁନିଫର୍ମ ହଟାଇଦେବାକୁ ଧମକ ଦେଇଥିଲେ ।

ମାମଲାକୁ ବଢ଼ୁଥିବାର ଦେଖି ପୋଲିସ ଅତିରିକ୍ତ ଫୋର୍ସ ଡକାଇ ସେମାନଙ୍କୁ ନିୟନ୍ତ୍ରଣ କରିବା ସହ ୬ କୋଟି ଟଙ୍କାର ଗାଡିକୁ ଜବତ କରିଛି । ପୋଲିସ ଅଧିକାରୀ ବିଜୟ ମେହେଟ୍ଟା କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ଧମକ ଦେବା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା କାରଣରୁ ଦିଲ୍ଲୀର ବସନ୍ତ ବିହାରର ବାସିନ୍ଦା ଶିବ ମିଶ୍ର, ବିବେକ ଏବଂ ସନ୍ଦୀପଙ୍କ ସହ କାନପୁର ବାସିନ୍ଦା ସ୍ମିତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା ୫୦୪, ୫୦୬, ୩୫୩, ୧୮୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.