ଫୋନ୍ ନିଶା ହେଲା କାଳ, ହେଡ୍ଫୋନ୍ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍
ଟ୍ରାକ୍ ଉପରେ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍ ।
ଭୁବନେଶ୍ବର: ବର୍ତ୍ତମାନ ସମୟରେ ମୋବାଇଲକୁ ନେଇ ବାଇଆ ଯୁବପିଢି । କେତେବେଳେ ରିଲ୍ସ କରୁକରୁ ଜୀବନ ଯାଉଛି ତ ଆଉ କେତେବେଳେ ଅସାବଧାନ ଭାବେ ଫୋନରେ କଥା ହେବା ବେଳେ ଜୀବନ ଯାଉଛି ।
ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବରରୁ । ହେଡ୍ଫୋନ୍ ଦେଇ କଥା ହେଉଥିବା ବେଳେ ଯୁବକଙ୍କ ଉପରେ ଟ୍ରେନ ମାଡ଼ିଯାଇଥିବା ଜଣାପଡ଼ିଛି ।
ବାଲେଶ୍ୱର ରେଳ ଷ୍ଟେସନ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବକଜଣକ ଟ୍ରାକ୍ ଉପରେ କଥା ହେଉଥିଲେ । ଏହି ସମୟରେ ହଠାତ୍ ଟ୍ରେନଟି ଦ୍ରୁତ ବେଗରେ ଆସି ତାଙ୍କୁ ଧକ୍କା ଦେଇଥିଲା ।
ତେବେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହା ଅଘଟଣ ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ମୃତ ଯୁବକଙ୍କ ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ସହଦେବଖୁଣ୍ଟା ପୋଲିସ ଏବଂ RPF ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।