fbpx

ଉତ୍ତରାଖଣ୍ଡରେ ବିଜେପିକୁ ଝଟକା, ବିଧାୟକ ପୁଅ ସହ କଂଗ୍ରେସରେ ସାମିଲ୍ ହେଲେ ମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ବିଜେପିକୁ ଜୋରଦାର ଝଟକା ଦେଲା କଂଗ୍ରେସ । ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ନିଜ ପୁଅ ତଥା ନୈନିତାଲ ବିଧାୟକ ସଞ୍ଜୀବ ଆର୍ଯ୍ୟଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାପ-ପୁଅ କଂଗ୍ରେସରେ ଯୋଗ ଦେଇଛନ୍ତି । ଯଶପାଲ ଉତ୍ତରାଖଣ୍ଡ ସରକାରରେ ସମାଜ କଲ୍ୟାଣ ଓ ପରିବହନ ମନ୍ତ୍ରୀ ଥିଲେ । ଦୁଇ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ରାଜ୍ୟ ପ୍ରଭାରୀ ଦେବେନ୍ଦ୍ର ଯାଦବ, କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଦିୟାଲଙ୍କ ସହିତ ଜାତୀୟ ସାଧାରଣ ସଂପାଦକ କେସି ବେଣୁଗୋପାଳ, ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ବାଜପୁରରୁ ବିଧାୟକ ତଥା ସମାଜ କଲ୍ୟାଣ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ଏବଂ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ହେଉଛନ୍ତି ନୈନିତାଲର ବିଧାୟକ । ଉଭୟ ୨୦୧୭ରେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏହା ପରେ ବିଜେପି ଉଭୟ ବାପ-ପୁଅଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା । ବାପା ଏବଂ ପୁଅ ବିଜେପିକୁ ନିରାଶ ନକରି ବିଜୟୀ ହୋଇଥିଲେ । ଫଳସ୍ୱରୂପ ବିଜେପି ସରକାରରେ ଯଶପାଲଙ୍କୁ କ୍ୟାବିନେଟରେ ମନ୍ତ୍ରୀ କରାଯାଇଥିଲା । ହେଲେ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ପୁଣି ଥରେ ଯଶପାଲ ଏବଂ ସଞ୍ଜୀସବ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।

ଉଲ୍ଲେଖନୀୟ ଏହା ପୂର୍ବରୁ ପୁରୋଲାରୁ କଂଗ୍ରେସ ବିଧାୟକ ରାଜକୁମାର ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିରେ ମିଶିଥିଲେ । ରାଜକୁମାର ୨୦୦୭ରେ ସହସପୁର ଆସନରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ । ୨୦୧୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ହେଲେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ମାଲଚନ୍ଦ ରାଜକୁମାରଙ୍କୁ ହରାଇଥିଲେ । ହେଲେ ୨୦୧୭ ବିଧାନସଭା ନିର୍ବାଚନରେ ରାଜକୁମାର କଂଗ୍ରେସ ଟିକେଟରେ ପୁରୋଲା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ଏହା ପୂର୍ବରୁ ଉକ୍ରାନ୍ଦ ନେତା ତଥା ଧନୋଲଟି ନିବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରୀତମ ପନୱାର ମଧ୍ୟ ବିଜେପିରେ ସାମିଲ ହୋଇ ସାରିଛନ୍ତି । ପ୍ରୀତମ ବୁଧବାର ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । ୨୦୧୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.