fbpx

‘ପ୍ରେମ ଏକ କୀଳା’ ପାଇଁ ଅଡୁଆରେ ବାପୁ ପଣ୍ଡା, ତେଜିଲା ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ ଖୁବ୍ ପ୍ରାଚୀନ ଓ ସମୃଦ୍ଧ । ଏଥିପାଇଁ ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା । ଏହାର ଗୀତରୁ ମଧୁ ଝରେ । ଶ୍ରୋତା ବିମୁଗ୍ଧ ହୋଇପଡ଼େ ଆମ ଭାଷାର ଗୀତ-ସଂଗୀତରେ । ଭାଷା ଓ ଭାବର ଅଭାବ ନାହିଁ ଓଡ଼ିଆ ଅଭିଧାନରେ । ତେବେ ଶସ୍ତା ଲୋକପ୍ରିୟତା ପାଇଁ ବହୁ ସମୟରେ ଓଡ଼ିଆ ଭାଷାକୁ କଦର୍ଯ୍ୟ କରାଯାଉଛି । ସଂଗୀତ-ସିନେମା-ଆଲବମ୍ ଆଦି ଆଧୁନିକତାର ଆଳରେ ଭାଷାର ଭାବକୁ ଅତି କଦର୍ଯ୍ୟ କରିବା ସହ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରାଯାଉଛି । ଯାହା କୌଣସି ସଭ୍ୟ ଶିକ୍ଷିତ ସମାଜ ପାଇଁ ଗ୍ରହଣୀୟ ହୋଇନପାରେ । ଆଉ ତା’ପରେ ଉଠେ ପ୍ରତିବାଦର ସ୍ୱର । ଠିକ୍ ଏଭଳି ଏକ ବିକୃତ ଶବ୍ଦ ସମ୍ବଳିତ ଆଲବମ୍ ଗୀତ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆଉ ଏହାକୁ ନେଇ ଗୀତଟି ବୋଲିଥିବା ବାପୁ ପଣ୍ଡା ଛନ୍ଦି ହୋଇଛନ୍ତି ବିବାଦରେ ।

‘ଓଡ଼ିଆ କଳାକାରଙ୍କ ସ୍ୱର (ଓକେଏସ୍)’ ସଂଗଠନ ପକ୍ଷରୁ ଭୁବନେଶ୍ୱର ଡିସିପିଙ୍କୁ ଉପରୋକ୍ତ ମର୍ମରେ ଅଭିଯୋଗ କରାଯାଇଛି । ଅଭିଯୋଗ ହୋଇଛି ଯେ ବାଲେଶ୍ୱରର ଗୀତିକାର ଓ ଗାୟକ ବାପୁ ପଣ୍ଡା ଏକ ଗୀତ ଗାନ କରିଛନ୍ତି । ଯାହା ଅତି କଦର୍ଯ୍ୟ ଶବ୍ଦରେ ଭରି ରହିଛି । ସଙ୍ଗୀତ ନିର୍ଦ୍ଦେଶକ ଗୋପୀନାଥ ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ତାଙ୍କ ଷ୍ଟୁଡିଓରେ ରେକର୍ଡିଂ ହୋଇଥିବା ଉକ୍ତ ଗୀତଟିରେ ବ୍ୟବହୃତ କିଛି ଶବ୍ଦ ନିତ୍ୟାନ୍ତ ଅଶ୍ଳୀଳ, ଅଣସାମ୍ବିଧାନିକ ଓ ଭଦ୍ର ସମାଜରେ ଗ୍ରହଣୀୟ ନୁହେଁ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଉକ୍ତ ଗୀତଟି କୋମଳମତି ପିଲାମାନଙ୍କ ଉପରେ କୁପ୍ରଭାବ ପକାଉଛି । ତେଣୁ ସମାଜ ପ୍ରତି ଏହି ଗୀତ ଖରାପ ପ୍ରଭାବ ପକାଉଛି ବୋଲି ଅଭିଯୋଗ କରିଛି ‘ଓଡ଼ିଆ କଳାକାରଙ୍କ ସ୍ୱର’ ସଂଗଠନ ।

ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଅନୁରୋଧ କରିଛନ୍ତି ସଂଗଠନର ସଦସ୍ୟ । ଅନ୍ୟପକ୍ଷରେ ସୋସିଆଲ୍ ମିଡିଆରେ ମଧ୍ୟ ଉକ୍ତ ଗୀତ ବିରୋଧରେ ସ୍ୱର ତେଜିବାରେ ଲାଗିଛି । ଏହା କଳା ଓ କଳାକାରଙ୍କ ପ୍ରତି ଅସମ୍ମାନ ବୋଲି ଅନେକ ଅଭିଯୋଗ କରିଛନ୍ତି । ସେହିପରି ଅନେକ ପ୍ରଶ୍ନ କରିଛନ୍ତି ଯେ ଏହା କିଭଳି ସଂଗୀତ ପ୍ରେମ? ଏହା ପ୍ରକୃତ କଳାର ନିଦର୍ଶନ ନା ବାସ୍ତବରେ କଳା ଜଗତ ପାଇଁ କୀଳା ସଦୃଶ ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.