fbpx
BJD
BJD SKY
BJD SKY

ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ବଢିଲା ଅଡୁଆ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ : ବଢିଲା ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ଅଡୁଆ । ପୂର୍ବତନ ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏକ ମାମଲାରେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଏଥିସହ ସମ୍ବେଦନଶୀଳ ଭିଡିଓ ଅପଲୋଡିଂ ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଉଚ୍ଚତମ ନ୍ୟାୟାଳୟ ପ୍ରସ୍ତୁତ ହୋଇ ଯାଇଛନ୍ତି । ପୂର୍ବତନ ଏମଡି ମନୀଷଙ୍କୁ ଚାରି ସପ୍ତାହରେ ଉତ୍ତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗାଜିଆବାଦରେ ଏକ ମୁସଲିମ ବୃଦ୍ଧଙ୍କ ମାଡମରା ମାମଲାରେ ସାଂପ୍ରଦାୟିକ ଦିଗ ଦେଖାଉଥିବା ଭିଡିଓକୁ ନେଇ ମାହେଶ୍ୱରୀଙ୍କ ପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ୟୁପି ପୋଲିସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଗାଜିଆବାଦ ପୋଲିସ ଏହି ମାମଲାରେ ଟୁଇଟର ବିରୋଧରେ ଏଫଆଇଆର ରୁଜୁ କରିଥିଲା ଏବଂ ଟୁଇଟର ଇଣ୍ଡିଆର ପୂର୍ବତନ ଏମଡି ମାହେଶ୍ୱରୀଙ୍କୁ ପଚରା ଉଚୁରା ପାଇଁ ଡକାଇଥିଲା । ଏହାକୁ ନେଇ ମାହେଶ୍ୱରୀ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ । ଏହା ପରେ ହାଇକୋର୍ଟ ମନୀଷଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ ।

କେବଳ ଏତିକି ନୁହେଁ ନିଜେ ମନୀଷ ମାହେଶ୍ୱରୀ ସୁପ୍ରିମକୋର୍ଟରେ ଏକ ଫାଇଲ ଦାଖଲ କରିଥିଲେ । ଏଥିରେ ମାହେଶ୍ୱରୀ ଦାବି କରିଥିଲେ ଯେ, ୟୁପି ସରକାରଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି ପୂର୍ବରୁ ତାଙ୍କ ପକ୍ଷ ମଧ୍ୟ ଶୁଣାଯାଉ । ଗାଜିଆବାଦର ଲୋନି ଅଞ୍ଚଳରେ ଜଣେ ବୃଦ୍ଧଙ୍କ ଭିଡିଓ ଗତ ଦିନରେ ଟୁଇଟରରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ବୃଦ୍ଧ ଜଣକ ମୁସଲିମ ହେବା କାରଣରୁ ତାଙ୍କୁ ମାଡ ମରାଯିବା, ଦାଢି କଟାଯିବା ଏବଂ ଜବରଦସ୍ତି ଜୟ ଶ୍ରୀରାମ ନାରା ଲଗାଇବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଥିଲେ । ହେଲେ ୟୁପି ପୋଲିସ ନିଜ ତଦନ୍ତରେ ଏହି ସବୁ ଅଭିଯୋଗ ଖଣ୍ଡନ କରିଥିଲା । ପୋଲିସର କହିବା କଥା ଏହି ମାମଲା ତାନ୍ତ୍ରିକ ସାଧନା ସହ ଜଡିତ ଥିଲା ଏବଂ ଏହି କାରଣରୁ ଯୁବକମାନେ ତାଙ୍କୁ ମାଡ ମାରିଥିଲେ ।

କେବଳ ଏତିକି ନୁହେଁ ତାଙ୍କ ମାଡ ମାରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅନେକ ମୁସଲିମ ଯୁବକ ମଧ୍ୟ ଥିଲେ । ଏହି ଭିଡିଓ ସାଂପ୍ରଦାୟିକ ରଙ୍ଗ ଦେବା ଉଦ୍ଦେଶ୍ୟରେ ତିଆରି ହୋଇଥିବା ଅଭିଯୋଗରେ ୟୁପି ପୋଲିସ ମାମଲା ରୁଜୁ କରିଥିଲା ।

Get real time updates directly on you device, subscribe now.