fbpx

ମହା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା, ତିନୋଟି ସ୍ଥାନ ପାଇଁ ଏବେ ବି କୌଣସି ଖେଳାଳି ସ୍ଥିର ହୋଇ ନାହାନ୍ତି

ନୂଆଦିଲ୍ଲୀ : ଦୁଇ ଅଭ୍ୟାସ୍ ମ୍ୟାଚ୍ ପରେ ୧୫ ଜଣିଆ ଭାରତୀୟ ଦଳ ପାକିସ୍ତାନର ମୁକାବିଲା କରିବାକୁ ପ୍ରସ୍ତୁତ । ଏହି ମ୍ୟାଚ୍ ଅକ୍ଟୋବର ୨୪ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରି ଦଳ ବିପକ୍ଷରେ ଅଭ୍ୟାସ୍ ମ୍ୟାଚ୍ ଜିତିବା ପରେ ଭାରତର ଆତ୍ମବିଶ୍ୱାସ ବୃଦ୍ଧି ଘଟିଛି । ହେଲେ ଏବେ ମଧ୍ୟ ଅଧିନାୟକ ବିରାଟ କୋହଲି ଏବଂ ଦଳ ପ୍ରବନ୍ଧକ ଗୋଟିଏ ସମସ୍ୟା ଦୂର କରି ପାରି ନାହାନ୍ତି ।

ଦୁଇଟି ଅଭ୍ୟାସ୍ ମ୍ୟାଚରେ ଦଳ ପ୍ରବନ୍ଧକ ପ୍ରାୟତଃ ସମସ୍ତ ଖେଳାଳିଙ୍କୁ ସୁଯୋଗ ଦେଇଛି । ମାତ୍ର ଭାରତ ଏବେ ମଧ୍ୟ ରବିବାର ପୂର୍ବରୁ ନିଜର ଚୂଡାନ୍ତ ଏକାଦଶ ପ୍ରସ୍ତୁତ କରିବାକୁ ପଡିବ । ଦଳ ଚୟନକୁ ନେଇ ସବୁଠୁ ବଡ ଚିନ୍ତାର କାରଣ ସୂର୍ଯ୍ୟକୁମାର ଯାଦବ-ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା-ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ରହିଛି ।

ବର୍ତ୍ତମାନ ଦଳର ସ୍ଥିତି କଣ ?

ଶୀର୍ଷରେ ୩ କ୍ରମରେ କିଏ ବ୍ୟାଟିଂ କରିବ ତାହା ନିଶ୍ଚିତ ହୋଇ ସାରିଛି । କେଏଲ ରାହୁଲ ଓ ରୋହିତ ଶର୍ମା ଓପନିଂ କରିବେ । ବିରାଟ କୋହଲି ତୃତୀୟରେ ବ୍ୟାଟିଂ କରିବେ । ହେଲେ ନମ୍ବର ୪କୁ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ । ସୂର୍ଯ୍ୟକୁମାର ଯାଦବ ଆଇପିଏଲ ପୂର୍ବରୁ ଏହି ସ୍ଥାନ ପାଇଁ ନିଜର ଦାବିଦାର ମଜବୁତ କରି ସାରିଥିଲେ । ହେଲେ ଆଇପିଏଲରେ ସେ ଏବଂ ଇଶାନ କିଶନ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ ।

ଆଇପିଏଲର ଶେଷ କିଛି ମ୍ୟାଚରେ ଇଶାନ କିଶନ ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ । ଏହା ପରେ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଦୁଇ ଅଭ୍ୟାସ୍ ମ୍ୟାଚରେ ୮ ରନ ଏବଂ ୩୮ ରନ କରିଥିଲେ । ହେଲେ ଇଶାନ କିଶନ ଫର୍ମକୁ ଫେରି ବିରାଟ କୋହଲିଙ୍କ ଚିନ୍ତା ବଢାଇ ଦେଇଛନ୍ତି । ତାଙ୍କୁ ବ୍ୟାକ୍ ଅପ ଓପନର ଭାବେ ଦଳରେ ରଖାଯାଇଥିଲେ ମଧ୍ୟ କ୍ରମାଗତ ତିନି ଅର୍ଦ୍ଧଶତକୀୟ ଇନିଂସ ଖେଳି ଚୂଡାନ୍ତ ଏକାଦଶରେ ନିଜ ଦାବି ଆହୁରି ମଜବୁତ କରିଛନ୍ତି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ନେଇ ଦଳ ପ୍ରବନ୍ଧକ ଦ୍ୱିଧାରେ ଅଛନ୍ତି । ସ୍ପିନରଙ୍କୁ ନେଇ ମଧ୍ୟ ବିରାଟ କୋହଲିଙ୍କୁ ମାନସ ମନ୍ଥନ କରିବାକୁ ପଡିବ ।

ଟିମ୍ ଇଣ୍ଡିଆରେ କାହା ସ୍ଥାନ ସୁନିଶ୍ଚିତ

ଓପନିଂ- କେଏଲ ରାହୁଲ ଓ ରୋହିତ ଶର୍ମା ।

ତୃତୀୟ ନମ୍ବର- ଅଧିନାୟକ ବିରାଟ କୋହଲି

ଚତୁର୍ଥ- ଏବେ କୌଣସି ବ୍ୟାଟସମ୍ୟାନ ସ୍ଥିର ହୋଇ ନାହାନ୍ତି । ସୂର୍ଯ୍ୟକୁମାର ଓ ଇଶାନ କିଶନଙ୍କ ମଧ୍ୟରେ ଟକ୍କର ।

ପଞ୍ଚମ- ଋଷଭ ପନ୍ତ ।

ଷଷ୍ଠ- ରବୀନ୍ଦ୍ର ଜାଡେଜା

ସପ୍ତମ- ଏହି ସ୍ଥାନ ପାଇଁ ଦଳ ପ୍ରବନ୍ଧକ ଦ୍ୱିଧାରେ ଅଛନ୍ତି । ହାର୍ଦ୍ଦିକ ଏବଂ ଶାର୍ଦ୍ଦୁଳଙ୍କ ମଧ୍ୟରୁ ଯିଏ ଖେଳିବ, ସେ ଏହି ସ୍ଥାନରେ ବ୍ୟାଟିଂ କରିବ ।

ଅଷ୍ଟମ- ଏହି ସ୍ଥାନ ପାଇଁ ମଧ୍ୟ କୌଣସି ଖେଳାଳି ସ୍ଥିର ହୋଇ ନାହିଁ । ଦୁବାଇର ପାଣିପାଗ ସ୍ପିନରଙ୍କ ପାଇଁ ସେତେ ଅନୁକୂଳ ନୁହେଁ । ତେଣୁ ରବିଚନ୍ଦ୍ରନ ଅଶ୍ୱିନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।

ନବମ- ଏହି ସ୍ଥାନରେ ଭୁବନେଶ୍ୱର କୁମାର ଖେଳିବେ । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଭଲ ବୋଲିଂ କରିଥିଲେ ।

ଦଶମ- ମହମ୍ମଦ ଶାମି ।

ଏକାଦଶ- ଭାରତର ଶ୍ରେଷ୍ଠ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଖେଳିବେ ।

ଚତୁର୍ଥ ସ୍ଥାନରେ କାହାର ଦାବିଦାର ମଜବୁତ

ଇଶାନ କିଶନଙ୍କ ପଲ୍ଲା ବର୍ତ୍ତମାନ ଭାରି ରହିଛି । ସେ ଗତ ତିନୋଟି ଇନିଂସରେ ଅପରାଜିତ ୫୦, ୮୪ ଓ ଅପରାଜିତ ୭୦ ରନର ଇନିଂସ ଖେଳିଛନ୍ତି । ଏହି ତିନୋଟି ଇନିଂସରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୦୦, ୨୬୨.୫୦ ଓ ୧୫୨.୧୭ ରହିଛି ।

ସୂର୍ଯ୍ୟକୁମାର ଯାଦବ ଆଇପିଏଲରେ ମୁମ୍ବାଇ ପକ୍ଷରୁ ଶେଷ ମ୍ୟାଚରେ ୮୪ ରନର ଇନିଂସ ଖେଳିଥିଲେ । ଲାଗୁଥିଲା ସେ ଫର୍ମକୁ ଫେରି ଆସିଛନ୍ତି । ହେଲେ ଇଂଲଣ୍ଡ ବିପକ୍ଷରେ ସେ ଆଠ ରନ କରିଥିଲେ ।
ହେଲେ ଇଶାନ କିଶନଙ୍କ ତୂଳନାରେ ସୂର୍ଯ୍ୟକୁମାର ଯାଦବ ବହୁତ ଚତୁର ଖେଳାଳି । ମ୍ୟାଚ୍ ହିସାବରେ ସେ ଗିୟର ବଦଳାଇବା ଜାଣିଛନ୍ତି । ଏହା ତାଙ୍କର ପଜିଟିଭ୍ ପଏଣ୍ଟ ।

ପାକିସ୍ତାନ ବିପକ୍ଷରେ ବିରାଟଙ୍କୁ ଚତୁର୍ଥ ସ୍ଥାନରେ ଏମିତି ଜଣେ ଖେଳାଳି ଦରକାର, ଯିଏ ଗିୟର ବଦଳାଇବା ଜାଣିଥିବେ ଏବଂ ନିଜ ଉପରେ ଚାପ ପକାଇବାକୁ ଦେଉନଥିବେ । ଏହି ସ୍ଥାନ ପାଇଁ ସୂର୍ଯ୍ୟକୁମାର ଫିଟ୍ ଅଛନ୍ତି ।

Get real time updates directly on you device, subscribe now.