ତୁର୍କୀ-ସିରିଆ ଭୁମିକମ୍ପ: ୨୧ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଫେବୃଆରୀ ୬ ତାରିଖରେ ଘଟିଥିବା ତୁର୍କୀ ସିରିଆ ଭୂକମ୍ପରେ ବର୍ତ୍ତମାନ ଶବ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଅତ୍ୟଧିକ ମାତ୍ରାରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଶବ ଉଦ୍ଧାର କାର୍ଯ୍ୟ ଥମିବାର ନାମ ନେଉନି । ବର୍ତ୍ତମାନ ପର୍ଯ୍ୟନ୍ତ ସିରିଆ ଏବଂ ତୁର୍କୀରେ ୨୧,୦୦୦ରୁ ଅଧିକ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗତ ସୋମାବାର ଦିନ ତୁର୍କୀ ଏବଂ ସିରିଆରେ ଭୂକମ୍ପ ସୃଷ୍ଟି ହୋଇଥିଲା । ସେଠାରେ ଭୁକମ୍ପ ଅନୁଭୁତ ହେବା ଫଳରେ ଅନେକ ଅଟ୍ଟାଳିକା ମାନ ଭୂଷୁଡ଼ି ପଡ଼ିଛି । କେବଳ ତୁର୍କୀରେ ୧୭ ହଜାର ୬୭୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ସିରିଆରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୩୭୭ ଜଣଙ୍କ ମୃତ୍ୟୁ ହୋଇଥିବା କଥା ଜଣା ପଡ଼ିଛି । ୭୨ରୁ ଅଧିକ ଆହତ ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି ମଧ୍ୟ ଧ୍ୱଂସାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଲୋକମାନେ କହିଛନ୍ତି ଯେ, ଯେଉଁମାନେ ଭୂକମ୍ପରେ ମରି ନାହାଁନ୍ତି ସେମାନଙ୍କୁ ଶୀତରେ ମରିବାକୁ ଛାଡି ଦିଆଯାଇଛି। ସମସ୍ତ ଅସୁବିଧା ସତ୍ତ୍ୱେ, ହଜାର ହଜାର ସ୍ଥାନୀୟ ତଥା ବିଦେଶୀ ଅନୁସନ୍ଧାନକାରୀ ଅଧିକ ବଞ୍ଚିଥିବା ସନ୍ଧାନରେ ହାର ମାନି ନାହାଁନ୍ତି। ଜୀବନ ବଞ୍ଚାଇବା ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ହାରାହାରି ବଞ୍ଚିବାର ଅନୁପାତ ୭୪%, ୭୨ ଘଣ୍ଟା ପରେ ଏହା ୨୨% ଏବଂ ପଞ୍ଚମ ଦିନରେ ଏହା ୬% ଅଟେ । ତେବେ ତୁର୍କୀର ଏହି କାରୁଣିକ ଦୃଶ୍ୟରେ ଆନ୍ତର୍ଜାତୀୟ ଦେଶ ଗୁଡିକ ସହାୟତାର ହାତ ବଢ଼ାଇଛନ୍ତି ।

ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦଗାନ୍ ବୁଧବାର ସ୍ୱୀକାର କରିଛନ୍ତି ଯେ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରଙ୍କ ଉଦ୍ୟମରେ ଅନେକ ତ୍ରୁଟି ରହିଛି ।୧୯୩୯ ପରଠାରୁ ତୁର୍କୀରେ ସୋମବାର ଦିନ ହୋଇଥିବା ଭୂକମ୍ପ ସବୁଠାରୁ ବଡ ଥିଲା। ଯେତେବେଳେ ପୂର୍ବ ଏରଜିନକାନ ପ୍ରଦେଶରେ ୩୩,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।