fbpx
BJD SKY
BJD SKY

ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ ଦୁଇଜଣ! ଜାଣନ୍ତୁ କିଏ ହେବ ବିଦା ଆଉ କିଏ ପାଇବ ପଦବୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର କ୍ୟାବିନେଟରେ ହେବାକୁ ଥିବା ବଡ଼ଧରଣର ଅଦଳବଦଳକୁ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା ଚାଲିଛି । ୨୦୨୨ରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବେ ବୋଲି କୁହାଯାଉଛି । ତେଣୁ କ୍ୟାବିନେଟରେ କିଏ ନୂଆ ମୁହଁ ସାମିଲ ହେବ ଆଉ କିଏ ବିଦା ହେବ, ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କିଛି ଅପାରଗ ମନ୍ତ୍ରୀ ବାଦ୍ ପଡ଼ିବା ନେଇ ଚର୍ଚ୍ଚା ହେବା ସହ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର କିଛି ନେତାଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି ।

କ୍ୟାବିନେଟରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ମୋଦିଙ୍କ ଟିମରେ ୫୩ ଜଣ ରହିଛନ୍ତି । ଆଉ ୨୮ ଜଣ ମନ୍ତ୍ରୀଙ୍କୁ ସାମିଲ କରିବାର ବିକଳ୍ପ ମୋଦିଙ୍କ ପାଖରେ ରହିଛି । ଏହାବ୍ୟତୀତ କ୍ୟାବିନେଟରେ ୯ ଜଣ ବରିଷ୍ଠ ମନ୍ତ୍ରୀ ପୀୟୂଷ ଗୋଏଲ, ପ୍ରକାଶ ଜାଭଡେକର, ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ହର୍ଷ ବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ହରଦୀପ ସିଂ ପୁରୀ ଓ ସ୍ମୃତି ଇରାନିଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି । ତେବେ ରାଜନୈତିକ ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶକୁ ମୋଦି ଅଧିକ ଗୁରୁତ୍ୱ ଦେଇପାରନ୍ତି ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ବିଷୟ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର, ସେ କାହାକୁ ସାମିଲ କରିବେ ବା ବାଦ୍ ଦେବେ ତାହା କାହାକୁ ଜଣାନାହିଁ । ମଧ୍ୟପ୍ରଦେଶରେ କଂଗ୍ରେସରୁ ବିଜେପି ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଉତ୍ତରପ୍ରଦେଶରୁ ବରୁଣ ଗାନ୍ଧି ଓ ରୀତା ବହୁଗୁଣା ଯୋଶୀ, ମହାରାଷ୍ଟ୍ରରୁ ନାରାୟଣ ରାଣେ ଓ ପୁନମ୍ ମହାଜନ ପ୍ରମୁଙ୍କ ନାମ ମନ୍ତ୍ରୀପଦ ନେଇ ବେଶ୍ ଚର୍ଚ୍ଚା ହେଉଛି ।

ତେବେ ଓଡ଼ିଶାରୁ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଦୁଇଜଣ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରହିଛନ୍ତି । ଏହି ଦୁଇଙ୍କ ମଧ୍ୟରୁ କିଏ ବିଦା ହେବେ କି ଆଉ କିଏ ସାମିଲ ହେବେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମନାକୁ ଆସୁନାହିଁ । ବିଜେପିରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାମ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି । ତେବେ ମୋଦିଙ୍କ ଘୋଷଣା ପରେ କିଏ ସାମିଲ ହେବ, କିଏ ବାଦ୍ ପଡ଼ିବ ସେନେଇ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.