fbpx

ଇଚ୍ଛାମୃତ୍ୟୁ ପାଇଁ ରାଜ୍ୟରେ ଗଠନ ହେବ ଦୁଇଟି ମେଡିକାଲ ବୋର୍ଡ: କାର୍ଯ୍ୟକାରୀ ହେବ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ରୋଗୀମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ସେମାନଙ୍କର ଜୀବନ ଯାଇ ନଥାଏ । ଏଭଳି ସ୍ଥିତିରେ ରୋଗୀମାନେ ବାଧ୍ୟହୋଇ ଜିଲ୍ଲାପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥାନ୍ତି । ମାତ୍ର ରୋଗୀଙ୍କର ଆକୁଳ ନିବେଦନ କେହି ଶୁଣିନଥାନ୍ତି । ରୋଗୀଙ୍କର ଅବସ୍ଥା ଦେଖି ଇଚ୍ଛାମୃତ୍ୟୁ ପ୍ରଦାନ କରିବାକୁ ଗତ ୨୦୧୦ ମସିହାରେ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏବେ ସୁଦ୍ଧା ଓଡ଼ିଶାରେ କାର୍ଯ୍ୟକାରୀ ହୋଇ ନଥିବାରୁ ଏନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ବସିବାକୁ ଥିବା ଏହି ବୈଠକରେ ଇଚ୍ଛାମୃତ୍ୟୁ ଆବେଦନ ନେଇ ୨ଟି ମେଡିକାଲ ବୋର୍ଡ ଗଠନ କରାଯିବ । ପରବର୍ତ୍ତୀ ସମୟରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏହି ସ୍ୱତନ୍ତ୍ର ବୈଠକରେ ସ୍ୱତନ୍ତ୍ର ସଚିବ, ଡିଏମଇଟି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରମୁଖ ଯୋଗଦେବେ ।

ଅନେକ ରୋଗୀ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହୋଇ ବର୍ଷ ବର୍ଷ ଧରି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତେଣୁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସେମାନେ ଆବେଦନ କରୁଛନ୍ତି । ତେବେ ଇଚ୍ଛାମୃତ୍ୟୁକୁ ଅନୁମତି ଦେବା ପାଇଁ ଡାକ୍ତର ବା ପ୍ରଶାସନ ନିକଟରେ କୌଣସି ଆଇନ ନାହିଁ । କିଛି ରୋଗୀ କୋମା ଅବସ୍ଥାରେ ରହୁଥିବା ବେଳେ ଆଉ କିଛି ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ରହୁଛନ୍ତି । ସେମାନଙ୍କର ମସ୍ତିଷ୍କ କାମ କରୁନଥିବା ବେଳେ ସେମାନଙ୍କର ଆରୋଗ୍ୟ ହେବାର ସମ୍ଭାବନା ନଥାଏ । ମାତ୍ର ଏପରି ସ୍ଥିତିରେ ଡାକ୍ତର କିଛି ପଦକ୍ଷେପ ନେଇ ପାରୁନାହାନ୍ତି । ରୋଗୀର ଯନ୍ତ୍ରଣା ଲାଘବ ପାଇଁ ପ୍ରଶାସନ ଓ ଡାକ୍ତର କି ପଦକ୍ଷେପ ଗ୍ରହଣ କରିବେ ସେନେଇ ବୈଠକରେ ଆଲୋଚନା ହେବ ।

Get real time updates directly on you device, subscribe now.