fbpx

ଓଡ଼ିଶା ପୋଲିସ ପାଇଁ ପ୍ରଥମ: ଦୁଇ ଓଡ଼ିଆଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଏକ ଗର୍ବର କଥା । ଦୁଇ ଜଣ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି । ସହିଦ କମାଣ୍ଡର ଦେବାଶିଷ ସେଠୀ ଓ ସୁଧୀର ଟୁଡୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଏହି ଦୁଇ ବୀରଙ୍କ ପରିବାରବର୍ଗ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସର ଦୁଇଜଣ ବୀରଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଦେବାଶିଷଙ୍କ ବାପା ସନାତନ ସେଠୀ, ମାଆ ଛାଇ ସେଠୀ ଓ ସୁଧୀରଙ୍କ ମାଆ ଜଉନାଙ୍କୁ ରାଷ୍ଟ୍ରପତି କୋବିନ୍ଦ ଏହି ଜାତୀୟ ସମ୍ମାନ ପ୍ରଦାନ କରିଥିଲେ । ରାଷ୍ଟ୍ରପତି ମୋଟ ୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରିଥିବା ବେଳେ ୬ ଜଣଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ ଦେବାଶିଷ ଓ ସୁଧୀର ବାମପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ଏକ ଅପରେସନରେ ସାମିଲ ହୋଇଥିଲେ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସିକ୍ରି ଗ୍ରାମ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ଏହି ଅପରେସନ ଚାଲିଥିଲା । ମାଓବାଦୀଙ୍କ ବିରୋଧରେ ଲଢ଼େଇ କରି ଏହି ଦୁଇ ବୀର ନିଜ ଜୀବନକୁ ବଳି ଦେବାକୁ ପଛାଇ ନଥିଲେ ।

Get real time updates directly on you device, subscribe now.