fbpx

UGC ପକ୍ଷରୁ ଆସିଲା ନିର୍ଦ୍ଦେଶ: ଆଣ୍ଟି ରାଗିଂ ପଦକ୍ଷେପ ନେବାକୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଗିଂକୁ ନେଇ ଆସିଛି ଏକ ବଡ଼ ଖବର । ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଣ୍ଟି ରାଗିଂ ପଦକ୍ଷେପ ନିଆଯିବ । ଆଣ୍ଟି ରାଗିଂ କମିଟି, ସ୍କ୍ୱାଡ ଗଠନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସିଟିଟିଭି ଲଗାଇବା, ସଚେତନତା ସୃଷ୍ଟି କରିବା ପାଇଁ କର୍ମଶାଳା ଆୟୋଜନ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଶିକ୍ଷାନୁଷ୍ଠାନଗୁଡ଼ିକ କଲେଜର ବିଭିନ୍ନ ସ୍ଥାନ, ନିକଟରେ ବସଷ୍ଟପରେ ସଚେତନତା ପାଇଁ ପୋଷ୍ଟର ଲଗାଇବେ । ବୁକଲେଟରେ ଆଣ୍ଟି ରାଗିଂ ସଚେତନତା ନେଇ ଉଲ୍ଲେଖ କରାଯିବ । ସବୁ ବିଭାଗ, ନାମଲେଖା ସେଣ୍ଟର, ଲାଇବ୍ରେରୀ, କ୍ୟାଣ୍ଟିନ ଆଦି ସ୍ଥାନରେ ପୋଷ୍ଟର ଲଗାଯିବ । ଏହି ପୋଷ୍ଟର ୟୁଜିସିର ୱେବସାଇଟ www.ugc.ac.inରେ ଉପଲବ୍ଧ ରହିଛି । ଯଦି କେହି ରାଗିଂ କାରଣରୁ ମାନସିକ ଯନ୍ତ୍ରଣାରେ ରହିଥାନ୍ତି ଓ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଏ କ୍ଷେତ୍ରରେ ନ୍ୟାସନାଲ ଆଣ୍ଟି ରାଗିଂ ହେଲପ୍ ଲାଇନ୍ ନମ୍ବର ୫୫୨୨ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ଭାବେ ଭାବ ବିନିମୟ କାର୍ଯ୍ୟକ୍ରମ କରିବେ । ଏଥିସହିତ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବେ । ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ଚେତାବନୀ ଲଗାଯିବା, ହଷ୍ଟେଳଗୁଡ଼ିକୁ ଅଚାନକ ପରିର୍ଶନ କରିବା, ଶୌଚାଳୟ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି । ସମସ୍ତ ୱେବସାଇଟକୁ ଅପଡେଟ୍ ରଖିବା ସହିତ ନୋଡାଲ ଅଫିସରଙ୍କ ତଥ୍ୟ ଦେବାକୁ ୟୁଜିସି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଗିଂକୁ ରୋକିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖାଉଥିବା ପିଲାଙ୍କୁ ଆଣ୍ଟି ରାଗିଂ ନେଇ ଅବଗତ କରାଇବା, ଅନଲାଇନ / ଅଫଳାଇନରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ କରିବା ନେଇ ସମସ୍ତ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜର କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ଶାସନ ସଚିବଙ୍କ ପକ୍ଷରୁ ଗତ ଅଗଷ୍ଟ ମାସରେ ଚିଠି ଲେଖାଯାଇଥିଲା । ବିଜେବି କଲେଜର ଜଣେ ଛାତ୍ରୀ ସୁନିୟରଙ୍କ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.