fbpx

କଲେଜ କ୍ୟାମ୍ପସରେ ତମାଖୁ ଉପରେ କଟକଣା କଡ଼ାକଡ଼ି; ୟୁଜିସି ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶପାଳନ କରିବାକୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ମାରକପତ୍ର ଜାରି କରିଛି । କଡ଼ା ନିର୍ଦ୍ଦେଶ ଦେଇ ୟୁଜିସି କହିଛି ଯେ ତମାଖୁ ମୁକ୍ତ କ୍ୟାମ୍ପସ ପାଇଁ ଜାରି ହୋଇଥିବା ଗାଇଡଲାଇନକୁ ଶତ ପ୍ରତିଶତ କଡ଼ାକଡ଼ି ଭାବେ ପାଳନ କରାଯାଉ ।

ୟୁଜିସି କହିଛି ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ (ଟିଓଏଫ୍ଇଆଇ) ମାନୁଆଲ୍ ଏବଂ ନିର୍ଦ୍ଦେଶାବଳୀକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ପରିସରକୁ ତମାଖୁ, ଇଲେକ୍ଟ୍ରୋନିକ୍ ସିଗାରେଟ୍ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟମୁକ୍ତ କରିବାକୁ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି । ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ସେପ୍ଟେମ୍ବର ୧୧ତାରିଖରେ ଏକ ଚିଠି ଜାରି କରାଯାଇଛି ।

ଯେଉଁଥିରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜଅଧ୍ୟକ୍ଷଙ୍କୁ କୁହାଯାଇଥିଲା ଯେ ଯୁବକମାନଙ୍କ ମଧ୍ୟରେ ତମାଖୁ ନିଶା ଚିନ୍ତାର ବିଷୟ । ଏହି ସମସ୍ୟା ଦୂର କରିବା ଦିଗରେ ଧାର୍ଯ୍ୟ କରାଯାଇଥିବା ପ୍ରତ୍ୟେକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଶିକ୍ଷାନୁଷ୍ଠାନର ଦାୟିତ୍ୱ । ଏହା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇ-ସିଗାରେଟ୍ ର ପ୍ରସାର ବଢ଼ୁଥିବାରୁ ୟୁଜିସି ମଧ୍ୟ ଚିନ୍ତା ପ୍ରକଟ କରିଛି ।

Get real time updates directly on you device, subscribe now.