fbpx

ଦୌଡିବା ସମୟରେ ଅଚାନକ ଆସିଲା ହୃଦଘାତ, ସ୍ମାର୍ଟୱାଚ୍ ସହାୟତାରେ ଏପରି ଜୀବନ ବଞ୍ଚାଇଲେ ବ୍ରିଟେନର ସିଇଓ

ନୂଆଦିଲ୍ଲୀ: ବ୍ରିଟେନରେ ହକି ୱେଲସ୍ କମ୍ପାନୀର ସିଇଓ ଦୌଡିବା ସମୟରେ ଅଚାନକ ହୃଦଘାତର ଶିକାର ହୋଇଥିଲେ । ଏହି ସମୟରେ ତାଙ୍କ ଜୀବନ ବିପଦରେ ପଡିଯାଇଥିଲା ଓ ତାଙ୍କ ପାଖରେ ସେହି ସମୟରେ କେହି ବି ନ ଥିଲେ । କିନ୍ତୁ ତାଙ୍କ ହାତରେ ଥିବା ସ୍ମାର୍ଟୱାଚ୍ ତାଙ୍କ ଜୀବନ ବଞ୍ଚାଇ ପାରିଥିଲା ।
୪୨ ବର୍ଷୀୟ ପାଲ ୱାଫାମ ନାମକ ଏହି ବ୍ୟକ୍ତି ସ୍ୱାନସୀ ମାରିଷ୍ଟନରେ ଥିବା ନିଜ ଘର ନିକଟରେ ସକାଳେ ଦୌଡୁଥିଲେ । ଏହି ସମୟରେ ସେ ନିଜ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସ୍ମାର୍ଟୱାଚ୍ ସହାୟତାରେ ସେ କୌଣସି ଉପାୟରେ ନିଜ ପତ୍ନୀଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇପାରିଥିଲେ । ସୂଚନା ପାଇବା ପରେ ପତ୍ନୀ ତୁରନ୍ତ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ ।

ପାଲ କହିଛନ୍ତି ସବୁଦିନ ପରି ସେ ସକାଳ ୭ ଟାରେ ଦୌଡିବାକୁ ବାହାରି ଯାଇଥିଲେ । ଏହାର ୫ ମିନିଟ୍ ପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ସେ ସଡକ ଉପରେ ଛାତିକୁ ଜାବୁଡି ଧରି ବସିପଡିଥିଲେ । ତାଙ୍କୁ ଭୀଷଣ ଯନ୍ତ୍ରଣା ହେଉଥିଲା । ସେ ବଞ୍ଚିଯିବେ ବୋଲି ଭାବି ନ ଥିଲେ । କିନ୍ତୁ ସେ ନିଜ ସ୍ମାର୍ଟୱାଚ୍ ସହାୟତାରେ ନିଜ ପତ୍ନୀଙ୍କୁ ବହୁ କଷ୍ଟରେ ଫୋନ୍ କରିପାରିଥିଲେ । ସୌଭାଗ୍ୟବଶତଃ ସେହି ସ୍ଥାନ ଘର ଠାରୁ ମାତ୍ର ୫ ମିନିଟ୍‌ର ବାଟ ଥିଲା । ପତ୍ନୀ ତୁରନ୍ତ ପହଞ୍ଚି ତାଙ୍କୁ କାର୍‌ରେ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଜଣାପଡିଥିଲା କି ଏକ ଧମନୀରେ ବ୍ଲକେଜ୍ କାରଣରୁ ଏପରି ହୋଇଥିଲା । ଟ୍ରିଟମେଣ୍ଟ ପରେ ସେ ଏବେ ସୁସ୍ଥ ଅଛନ୍ତି ।

ତେବେ ଏହା ପୂର୍ବରୁ ମଧ୍ୟ ସ୍ମାର୍ଟୱାଚ ବହୁ କ୍ଷେତ୍ରରେ ଜୀବନ ରକ୍ଷକ ସାବ୍ୟସ୍ତ ହୋଇପାରିଛି । ସ୍ମାର୍ଟୱାଚ୍ ହୃଦଗତି, ଇସିଜି ଓ ଶରୀରର ଅନ୍ୟାନ୍ୟ ବହୁ ଅଙ୍ଗର ଗତିବିଧି ମାପୁଥିବା ସେନସରର ଉପଯୋଗ କରି ଉପଯୋଗକର୍ତ୍ତାର ସ୍ୱାସ୍ଥ୍ୟ ବିଷୟରେ ସନ୍ଦେଶ ପହଞ୍ଚାଇଥାଏ ।

Get real time updates directly on you device, subscribe now.