fbpx

ରୁଷିଆ-ୟୁକ୍ରେନର ଫଳାଫଳ ନିର୍ଣ୍ଣୟ କରିବ କି ବିଶ୍ୱ: ପୁଟିନ ପରଦା ପଛର ଖଳନାୟକ, ଜେଲେନସ୍କି ରିଅଲ ହିରୋ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ ୨୪ ଦିନରେ ପହଞ୍ଚିଛି । ତେବେ ପୂର୍ବାପେକ୍ଷା ଯୁଦ୍ଧର ଝଲକ କିଛି ମାତ୍ରାରେ ହ୍ରାସ ପାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧ ଦୁଇ ରାଷ୍ଟ୍ର ମଧ୍ୟରେ ଏହାର ସମାଧାନ ହୋଇନାହିଁ । ଯୁଦ୍ଧରେ ଦୁଇ ଦେଶର ବହୁ ଧନଜୀବନ ନଷ୍ଟ ହୋଇଯାଇଛି । ଏହି ଯୁଦ୍ଧରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଯୁଦ୍ଧଖୋର ମନୋବୃତ୍ତି ପାଇଁ ସେ ବିଶ୍ୱ ଦରବାରରେ ନିନ୍ଦିତ ହୋଇଥିଲେ । ବିଭିନ୍ନ ରାଷ୍ଟ୍ର ଓ ସଂଗଠନ ପକ୍ଷରୁ ରୁଷ ଉପରେ କଟକଣା ଲାଗୁ କରାଯାଇଥିଲା । ଅନ୍ୟପଟେ ଅପେକ୍ଷାକୃତ କ୍ଷୁଦ୍ର ଓ ଦୁର୍ବଳ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜର ସାହସ, ବୀରତ୍ୱ ଓ ଶକ୍ତି ପାଇଁ ବିଶ୍ୱ ଦରବାରରେ ହିରୋ ପାଲଟି ଯାଇଛନ୍ତି । ବିଶ୍ୱର ଅନ୍ୟତମ ମହାଶକ୍ତି ରୁଷର ହମଲାକୁ ତିଳେ ମାତ୍ର ଭୟ ନକରି ଜେଲେନସ୍କି ଦେଶବାସୀଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ । ଏପରିକି ଏହି ଯୁଦ୍ଧରେ ମାତ୍ର ୨-୩ ଦିନ ମଧ୍ୟରେ ୟୁକ୍ରେନକୁ ରୁଷ କବଜା କରିନେବ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଥିଲା । ମାତ୍ର ସେପରି କିଛି ଘଟିନଥିଲା । ଜେଲେନସ୍କି ନିଜ ମାତୃଭୂମିକୁ ଏତେ ସହଜରେ ରୁଷକୁ ଟେକି ଦେଇ ନଥିଲେ ।

ତେବେ ଜେଲେନସ୍କିଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୨୦୨୨ ବର୍ଷ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦାବି ଉଠିଲାଣି । ସଦ୍ୟ ସୂଚନା ମୁତାବକ, ୟୁରୋପର କିଛି ବରିଷ୍ଠ ନେତା ଏନେଇ ବିଚାର କରୁଛନ୍ତି । ମାତ୍ର ଗତ ଜାନୁଆରୀ ୩୧ ତାରିଖରେ ନୋମିନେସନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ତେଣୁ ଆସନ୍ତା ୩୧ ତାରିଖକୁ ଏହି ପ୍ରକିୟାର ଅବଧି ବୃଦ୍ଧି କରିବା ପାଇଁ କିଛି ରାଜନେତାଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି ଅନୁରୋଧ କରାଯାଇଛି । ଚଳିତ ବର୍ଷର ଶାନ୍ତି ପୁରସ୍କାର ପାଇଁ ୨୫୧ ଜଣ ବ୍ୟକ୍ତି ଓ ୯୨ଟି ସଂସ୍ଥା ଆବେଦନ କରିସାରିଛନ୍ତି । ଚଳିତ ବର୍ଷର ଶାନ୍ତି ପୁରସ୍କାର ବିଜେତା ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ।

Get real time updates directly on you device, subscribe now.