fbpx

ଆମେରିକାଠୁ ୟୁକ୍ରେନକୁ ମିଳିବ ୪୦ ଅରବ ଡଲାରର ସହାୟତା ରାଶି, ମୋହର ମାରିଲେ ବାଇଡେନ୍

Advertisement

ସିଓଲ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ସହାୟତା ପାଇଁ ଶନିବାର ୪୦ ଅରବ ଡଲାରର ନୂତନ ସହାୟତା ସଂପର୍କିତ ବିଧେୟକ ଉପରେ ହସ୍ତାକ୍ଷର କରିଛନ୍ତି । ଏହି ବିଧେୟକ ଆମେରିକା କଂଗ୍ରେସର ଦୁଇ ଦଳର ସମର୍ଥନରେ ପାରିତ ହୋଇଥିଲା। ବିଧେୟକ ରୁଷ ସହିତ ଜାରି ଯୁଦ୍ଧ କାରଣରୁ ଅନିଶ୍ଚିତତା ଦେଇ ଗତି କରୁଥିବା ୟୁକ୍ରେନ ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ଦର୍ଶାଇଛି।

ଆମେରିକା ଦ୍ଵାରା ୟୁକ୍ରେନକୁ ଦିଆଯିବାକୁ ଥିବା ଏହି ସହାୟତା ମଧ୍ୟରୁ ୨୦ ଅରବ ଡଲାର ସୈନ୍ୟ ସହାୟତା ପାଇଁ ଉପଲବ୍ଧ। ବାଇଡେନ ଅସ୍ଵଭାବିକ ପରିସ୍ଥିତି ସମୟରେ ଏହି ବିଧେୟକ ଉପରେ ହସ୍ତାକ୍ଷର କରିଛନ୍ତି। ହ୍ଵାଇଟ୍ ହାଉସର ଏକ ଅଧିକାରୀଙ୍କ ଅନୁଯାୟୀ, ରାଷ୍ଟ୍ରପତି ଏସିଆ ଗସ୍ତରେ ଅଛନ୍ତି। ତାଙ୍କୁ ବାଣିଜ୍ୟିକ ଉଡାଣ ବେଳେ ବିଧେୟକର କପି ପ୍ରଦାନ କରାଯାଇଥିଲା ଏବଂ ସେଥିରେ ସେ ଦସ୍ତଖତ କରିଛନ୍ତି।

ଜର୍ମାନୀର ଅର୍ଥ ମନ୍ତ୍ରୀ ଶୁକ୍ରବାର କହିଥିଲେ ଯେ, ବିଶ୍ଵର ସାତ ପ୍ରମୁଖ ଅର୍ଥବ୍ୟବସ୍ଥା ଏବଂ ବୈଶ୍ଵିକ ଆର୍ଥିକ ସଂସ୍ଥା ୟୁକ୍ରେନକୁ ୧୯.୮ ଅରବ ଡଲାରର ଆର୍ଥିକ ସହାୟତା ଯୋଗାଉଛନ୍ତି। ଚଳିତ ସପ୍ତାହରେ ୯.୫ ଅରବ ଡଲାର ଜି-୭ର ଅର୍ଥ ମନ୍ତ୍ରୀଙ୍କ ବୈଠକରୁ ସଂଗ୍ରହ କରାଯାଇଛି। ଏହାର ଉଦ୍ଦେଶ୍ୟ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଯେମିତି ନିଜ ଆତ୍ମରକ୍ଷା ବେଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ଯେମିତି ନପଡେ।

ସୂଚନାଯୋଗ୍ୟ, ଯୁଦ୍ଧ ଆରମ୍ଭରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ କବଜା କରିବାରେ ଅସଫଳ ହେବା ପରେ ରୁଷର ନଜର ଏବେ ଡୋନବାସ ଉପରେ ରହିଛି। ଏହି ଅଞ୍ଚଳରେ ଗତ ଆଠ ବର୍ଷ ଧରି ରୁଷ ସମର୍ଥକ ବିଚ୍ଛିନ୍ନତାବାଦୀ ୟୁକ୍ରେନ ସେନା ସହ ଲଢେଇ କରି ଆସୁଛନ୍ତି। ଏବେ ରୁଷ ସେନା ଏହି ଅଞ୍ଚଳ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି।

Get real time updates directly on you device, subscribe now.